ଭୁବନେଶ୍ବର: ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ରେଡ୍ । ୨୩୧ କୋଟି ଠକେଇ ଅଭିଯୋଗ । ସମ୍ବଲପୁର, ଦିଲ୍ଲୀରେ ଚଢାଉ । ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ବର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଡଧରଣର ରେଡ୍ କରାଯାଉଛି । ସମ୍ବଲପୁରର ୩ଟି ଓ ଦିଲ୍ଲୀର ଗୋଟିଏ ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ବିଶ୍ବ ଏନଜିଓର ପ୍ରତିଷ୍ଠାତା କ୍ଷୀରୋଦ ମଲ୍ଲିକ ଏକାଧିକ ବ୍ୟାଙ୍କରୁ ୨୩୧କୋଟି ଟଙ୍କା ଠକେଇ ଅଭିଯୋଗରେ ଚଢାଉ କରାଯାଉଛି । ଗତ ନିର୍ବାଚନରେ ଏସବୁ ଟଙ୍କା ଲଗାଇଥିବା ଅଭିଯୋଗ ଆସିଛି । ତେବେ ପ୍ରଶ୍ନ ଉଠୁଛି, ଇଡି ସ୍କାନରକୁ ଆସିବେ କି ପ୍ରମିଳା ମଲ୍ଲିକ?
ପଶିଲା ଇଡି ବଢିଲା ଟେନସନ
ସ୍ବର୍ଗତ କ୍ଷୀରୋଦ ମଲ୍ଲିକ ବିଶ୍ବ ଏନଜିଓର ପ୍ରତିଷ୍ଠାତା ଓ ବିଶ୍ବ ଦରବାର ଯାତ୍ରାର ମାଲିକ । ସେ ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ୍ ନେଇଥିଲେ । ତେବେ ତାର ପରିଶୋଧ କରିନଥିବା ଅଭିଯୋଗ ହୋଇଛି । ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଖୋଳତାଡ କରୁଛି ଇଡି । କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ସହ ସମ୍ବଲପୁରର ୩ଟି ସ୍ଥାନ ଓ ନୂଆଦିଲ୍ଲୀର ଗୋଟିଏ ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି । ଆଜି ସକାଳୁ କ୍ଷୀରୋଦଙ୍କ ବାସଭବନ ଓ କାର୍ଯ୍ୟାଳୟରେ ତନାଘନା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ବିବାଦରେ ରହିଛି ‘ବିଶ୍ବ’
ପୂର୍ବରୁ ମଧ୍ୟ କ୍ଷୀରୋଦ ମଲ୍ଲିକ ଓ ତାଙ୍କ ଏନଜିଓ ସଂସ୍ଥା ବିଶ୍ବ ବିବାଦରେ ରହିଛି । ୨୦୦୦ରୁ ୨୦୧୦ମଧ୍ୟରେ ବିଜେଡି ସରକାରରେ ପ୍ରମିଳାଙ୍କ ଛତ୍ରଛାୟା ତଳେ ସଂସ୍ଥା କାୟା ବିସ୍ତାର କରିଥିବା କୁହାଯାଉଥିଲା । ୨୦୧୧ ମସିହାରେ ଡାଲି ଦୁର୍ନୀତି ଅଭିଯୋଗ ଚର୍ଚ୍ଚାକୁ ଆସିଥିଲା । ଏହାପରେ ଡାଲି ଯୋଗାଣ ମନିଟରିଂ କମିଟିରୁ କ୍ଷୀରୋଦ ମଲ୍ଲିକ ଇସ୍ତଫା ଦେଇଥିଲେ । ପ୍ରମିଳା ମଲ୍ଲିକଙ୍କୁ ମଧ୍ୟ ମନ୍ତ୍ରୀପଦ ହରାଇବାକୁ ପଡିଥିଲା । ଏହାପରେ ୨୦୧୪ ଅକ୍ଟୋବରରେ ଚିଟଫଣ୍ଡ ଠକେଇ ମାମଲାରେ କ୍ଷୀରୋଦଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ସେତେବେଳେ ରିଜର୍ଭ ବ୍ୟାଙ୍କର ବିନା ଅନୁମତିରେ କ୍ଷୁଦ୍ର ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କାର ଜମାରାଶି ସଂଗ୍ରହ କରିବା ତାଙ୍କୁ ମହଙ୍ଗା ପଡିଥିଲା । ପରେ ୨୦୧୯ରେ ଆର୍ଥିକ ଅନିୟମିତତା ମମଲାରେ କ୍ଷୀରୋଦ ମଲ୍ଲିକ ଓ ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମୁମ୍ବାଇ ଇଓଡବ୍ଲୁ ଗିରଫ କରିଥିଲା ।
ବଢିବ କି ପ୍ରମିଳାଙ୍କ ଅଡୁଆ?
୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି ଛାନବିନ କରୁଛି । ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏସଏଚଜିଙ୍କୁ ଋଣ ଦେବା ପାଇଁ ଅର୍ଥ ଆଣି ସେ ଏହାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏପରିକି ଗତ ୨୦୨୪ ନିର୍ବାଚନରେ କ୍ଷୀରୋଦ ମଲ୍ଲିକ ଏସବୁ ଟଙ୍କା ଲଗାଇଥିବା ଅଭିଯୋଗ ହେଉଛି । ନିର୍ବାଚନ ବ୍ୟାପକ ଅର୍ଥ କାରବାର ହୋଇଥିବା ନେଇ ଅଭିଯୋଗ ବି ଆସିଥିଲା । ତେବେ ଟଙ୍କା କେଉଁଠି ଖର୍ଚ୍ଚ କରିଥିଲେ କ୍ଷୀରୋଦ? ନିର୍ବାଚନରେ ଲୋନ୍ ଟଙ୍କା ଲଗାଇଥିଲେ କି ? ଯଦି ଲଗାଇଥିଲେ ତେବେ କାହା ପାଇଁ ଲଗାଇଥିଲେ ? ଏସବୁର ଖୋଳତାଡ କରୁଛି ଇଡି । ଯଦି ପ୍ରମିଳା ମଲ୍ଲିକଙ୍କର ସଂପୃକ୍ତି ନେଇ ଇଡି ହାତରେ ପ୍ରମାଣ ଲାଗେ ତେବେ ପ୍ରମିଳାଙ୍କ ଅଡୁଆ ବଢିପାରେ ।
ଆଗ ବବି ଏବେ ପ୍ରମିଳା !
ବିଜେପି ସରକାର ଜଣକ ପରେ ଜଣେ ହେଭିଓ୍ବେଟ୍ ବିଜେଡି ନେତାଙ୍କୁ ଟାର୍ଗେଟ୍ କରୁଥିବା କୁହାଯାଉଛି । ପ୍ରମିଳା ମଲ୍ଲିକ ବିରୋଧୀ ଦଳ ମୁଖ୍ୟ ସଚେତକ ପଦରେ ରହିବା ସହ ବିରୋଧୀ ବିଜେଡିର ଜଣେ ଟାଣୁଆ ନେତ୍ରୀ । ବଡ ବଡ ପ୍ରସଙ୍ଗରେ ପ୍ରମିଳା ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛନ୍ତି । ତେଣୁ ତାଙ୍କ ବିରୋଧରେ ଇଡିକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି । ପୂର୍ବରୁ ବିଜେଡି ହେଭିଓ୍ବେଟ୍ ପ୍ରଣବ ପ୍ରକାଶ ଦାସଙ୍କ ସାମ୍ରାଜ୍ୟ ଉପରେ ବି ଆକ୍ସନ୍ ମୋଡରେ ରହିଥିଲେ ବିଜେପି ସରକାର । ଏବେ ପୁରୁଣା ଫାଇଲ୍ ଖୋଲି ଯାଜପୁରର ଅନ୍ୟତମ ବଡ ଚେହେରା ପ୍ରମିଳା ମଲ୍ଲିକଙ୍କ ଅଡୁଆ ବଢାଇଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।