Latest Odisha News

BREAKING NEWS

ନର୍ଦ୍ଦମା ପାଣିରେ ଗଡିବ ବସ୍, ତାହା ପୁଣି ଓଡିଶାରେ….

ଭୁବନେଶ୍ବର: ରାଜ୍ୟରେ ଗଡିବ ହାଇଡ୍ରୋଜେନ୍ ଚାଳିତ ବସ୍ । ପରିବେଶ ଅନୁକୂଳମୁଖୀ କାର୍ଯ୍ୟକୁ ଆଗକୁ ବଢାଇବାକୁ ଯାଇ କିଛି ଏମିତି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଚାଳିତ ବସ୍ ଆରମ୍ଭ କରିବା ନେଇ ଗ୍ରୀଡକୋ, ଏନଟିପିସି ଏବଂ କ୍ରୁଟ ସହ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ.ଭି. ସିଂଦେଓ ଏବଂ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ବାବଧାନରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି ।

ତେବେ ସୁବୁଠୁ ବଡ କଥା ହେଉଛି, ଏହି ସବୁଜ ହାଇଡ୍ରୋଜେନ୍ ନର୍ଦ୍ଦମା ପାଣିରୁ ଉତ୍ପାଦନ କରାଯିବ । ନିଷ୍କାସିତ ବର୍ଜ୍ୟ ପାଣିକୁ ପୁନଃବ୍ୟବହାରରେ ଲଗାଇ ଚାଲିବ ଏହି ହାଇଡ୍ରୋଜେନ୍ ବସ୍ । ସବୁଠୁ ଲାଭଦାୟକ କଥା ହେଉଛି ଏହି ପ୍ରକ୍ରିୟା ମାଧ୍ୟମରେ ଅମ୍ଳଜାନ ମଧ୍ୟ ନିର୍ଗତ ହେବ । ସେଥିପାଇଁ ଏହାକୁ ଗ୍ରୀନ ହାଇଡ୍ରୋଜେନ୍ ବୋଲି କୁହାଯାଉଛି । ଯେଉଁଥିରେ ୧ କେଜି ହାଇଡ୍ରୋଜେନର ଉପଉତ୍ପାଦ ଭାବେ ୮ କେଜି ଅମ୍ଳଜାନ ଉତ୍ପନ୍ନ ହେବ । ଆଉ ବସ୍ ଚଳାଚଳ ପାଇଁ ଗୋଟିଏ ଦିନରେ ୨୬୦ କେଜି ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ହେଲେ ଏଥିରେ ୨୦୮୦ କେଜି ଅକ୍ସିଜେନ୍ ବାୟୁମଣ୍ଡଳରେ ନିର୍ଗତ ହେବ । ଯାହା ୧୮ ହଜାର ଗଛ ଦ୍ବାରା ନିର୍ଗତ ହେଉଥିବା ଅକ୍ସିଜେନ୍ ପରିମାଣ ସହ ସମାନ ।

ତେବେ ହାଇଡ୍ରୋଜେନ୍ ଇନ୍ଧନ ଦ୍ବାରା ଚାଲିବାକୁ ଥିବା ଏହି ବସ୍ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ପ୍ରଥମ ପର୍ଯ୍ୟାୟରେ ମୋଟ ୩ଟି ବସ୍ ଓଡିଶା ରାସ୍ତାରେ ଗଡିବ । ଏହାପରେ ଭୁବନେଶ୍ବର, କଟକ ଏବଂ ପୁରୀରେ ପର୍ଯ୍ୟାୟକ୍ରମେ ହାଇଡ୍ରୋଜେନ୍ ବସ୍ ଚାଲିବ । ଏଥିପାଇଁ ନେସନାଲ ଥର୍ମାଲ ପାଓ୍ବାର କର୍ପୋରେସନ ବା ଏନଟିପିସିକୁ ସବୁଜ ହାଇଡ୍ରୋଜେନ୍ର ବସର ନିର୍ମାଣ ଦାୟିତ୍ବ ଦିଆଯାଇଛି ।

ଏଥିପାଇଁ ମୋହନ ସରକାର ଭୁବନେଶ୍ବର ନିକଟସ୍ଥ ଗାଡକଣରେ ଜମି ଆବଣ୍ଟନ କରିଛନ୍ତି । ସେହିଠାରେ ହିଁ ହାଇଡ୍ରୋଜେନ୍ ଫିଲିଂ ଏବଂ ଉତ୍ପାଦନ କରାଯିବ । ଥରେ ମାତ୍ର ଫିଲିଂରେ ବସଟି ୬୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ ।

 

Leave A Reply

Your email address will not be published.