ଜୟପୁର: ପୁଣି ବୋରୱେଲ ଟ୍ରାଜେଡି l ରାଜସ୍ଥାନରେ ପୁଣି ଅଘଟଣ l ୧୫୦ ଫୁଟ୍ ବୋରୱେଲ୍କୁ ଖସି ପଡ଼ିଲା ୩ ବର୍ଷର କୁନି ଝିଅ l ରାଜସ୍ଥାନ କୋଟପୁତଳୀ କିତରପୁରାରେ ଘଟିଛି ଏହି ଅଘଟଣ l ପାଇପ୍ ମାଧ୍ୟମରେ ନାବାଳିକାକୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିବା ବେଳେ ଉଭୟ ଏନଡିଆରଏଫ ଓ ଏସଡ଼ିଆରଏଫ କର୍ମୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି l
ସୂଚନା ଅନୁସାରେ, ଗତକାଲି ରାଜସ୍ଥାନର କୋଟପୁତଳି ନିକଟ ବଡିୟାଲି ଢାଣି ଗାଁର ଏକ ୩ ବର୍ଷର ଶିଶୁ କନ୍ୟା ଚେତନା ଖେଳୁଥିବା ବେଳେ ବୋରୱେଲରେ ଖସି ପଡ଼ିଥିଲା l ପିଲାଟିର ଚିତ୍କାର ଶୁଣି ତା’ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳ ଏବଂ ପୋଲିସକୁ ଖବର ଦେଇଥିଲେ l ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ l କୁନିଝିଅ ଚେତନାକୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଚେତନାର ଗତିବିଧି ନିରିକ୍ଷଣ କରିବାକୁ ବୋରୱେଲ ଭିତରକୁ କ୍ୟାମେରା ପଠାଯିବା ସହ ପ୍ଲାଷ୍ଟିକ୍ ପାଇପ୍ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଉଛି। ଏଥିସହ ପିଲାଟି ପାଇଁ ଖାଦ୍ୟ ସାମଗ୍ରୀ ଓ ପାଣି ବି ପଠାଯାଉଛି। ପ୍ରାୟ ୧୫ ଘଣ୍ଟା ହେଲାଣି ଏନଡିଆରଏଫ, ଏସଡିଆରଏଫ, ଜିଲ୍ଲା ପ୍ରଶାସନ ଓ ପୁଲିସ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମାତ୍ର ଏଯାବତ ଚେତନାକୁ ଉଦ୍ଧାର କରାଯାଇ ପାରି ନାହିଁ। ସେପଟେ ବୋରୱେଲ ନିକଟରେ ଆଉ ଏକ ଗାତ ଖୋଳାଯାଇ ପିଲାଟିକୁ ବାହାର କରିବାକୁ ପ୍ରୟାସ ଜାରି ରହିଛି। ବରିଷ୍ଠ ଅଧିକାରୀମାନେ ସମଗ୍ର ଘଟଣା ଉପରେ ନଜର ରଖିଛନ୍ତି ।
ତେବେ ରାଜସ୍ଥାନରେ ଏହି ବୋରୱେଲ ଟ୍ରାଜେଡି ଏଇଟା ପ୍ରଥମ ନୁହେଁ l ଏହା ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି l ଚଳିତ ମାସ ୧୦ ତାରିଖରେ ରାଜସ୍ଥାନ ଦୌସା ଅଂଚଳରେ
୧୫୦ ଫୁଟ୍ ବୋରୱେଲରେ ଖସି ପଡିଥିଲା ୫ ବର୍ଷୀୟ ଶିଶୁ ଆର୍ଯ୍ୟନ୍ l ମାତ୍ର ଦୀର୍ଘ ୫୭ ଘଣ୍ଟାର ରେସକ୍ୟୁ ଅପରେସନ ପରେ ମଧ୍ୟ ଶିଶୁକୁ ବଞ୍ଚାଇ ପାରିନଥିଲେ ଉଦ୍ଧାରକାରୀ ଦଳ । ବିଭିନ୍ନ ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ। ଉଦ୍ଧାରକାର୍ଯ୍ୟରେ ଏନ୍ଡିଆର୍ଏଫ୍ ସମେତ ଅନ୍ୟ ରସ୍କ୍ୟୁ ଟିମ୍ ଦିନରାତି ଲାଗିଥିଲେ। ହେଲେ ଆର୍ଯ୍ୟନକୁ ଜୀବନ୍ତ ଉଦ୍ଧାର କରିପାରିନଥିଲେ। ଅଚେତ ଅବସ୍ଥାରେ ଉଦ୍ଧାର ପରେ ମେଡିକାଲ ନିଆଯାଇଥିଲା। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ତେବେ ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି l
Comments are closed.