Latest Odisha News

BREAKING NEWS

‘ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ରାଜ୍ୟପାଳ ଦାୟିତ୍ବ ନେଇଥିଲି, ଓଡ଼ିଶାବାସୀଙ୍କ ସମ୍ପର୍କ ଅଭୁଲା ସ୍ମୃତି ହୋଇ ରହିବ’

ପୁରୀ: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ କମ୍ଭମପତି ହରିବାବୁ ଦାୟିତ୍ବ ନେବା ପରେ ରଘୁବର ଦାସ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ ।

ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ସେବାୟତମାନେ ତାଙ୍କୁ ସ୍ବାଗତ କରି ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ । ପ୍ରଥମେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିଥିଲେ ।

ଏହି ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି, ‘ମହାପ୍ରଭୁଙ୍କ କୃପାରୁ ମୋତେ ଓଡ଼ିଶାର ରାଜ୍ୟପାଳ ହେବାର ସୌଭାଗ୍ୟପ୍ରାପ୍ତ ହୋଇଥିଲା । ଓଡ଼ିଶାବାସୀଙ୍କ ସମ୍ପର୍କ ଅଭୁଲା ସ୍ମୃତି ହୋଇ ରହିବ । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ବେଶ ସମୃଦ୍ଧ। ଓଡ଼ିଶା ଲୋକ ବହୁତ ସ୍ୱାଭିମାନୀ । ଏହାପରେ ଦଳ ମୋତେ ଯେଉଁ ଦାୟିତ୍ବ ଦେବ, ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ ତାକୁ ଗ୍ରହଣ କରିବି’ ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ୨୦୨୩ ଅକ୍ଟୋବର ମାସରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ନେଲା ପରେ ସେ ବେଶ୍‌ ସକ୍ରିୟ ଥିଲେ । ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ବିଭିନ୍ନ ନିର୍ଦ୍ଦେଶ ବି ଜାରି କରୁଥିଲେ । ଫଳରେ ତତକାଳୀନ ବିଜେଡି ସରକାର ଅଡ଼ୁଆରେ ପଡ଼ିଯାଉଥିଲେ । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିଲା ପରେ ଏକାଧିକ କାରଣ ପାଇଁ ରଘୁବର ବିବାଦୀୟ ହୋଇପଡ଼ିଥିଲେ ।

Leave A Reply

Your email address will not be published.