ଭୁବନେଶ୍ୱର: ଭାରତରେ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ଓ ତୀର୍ଥଯାତ୍ରା ସ୍ଥାନ ମଧ୍ୟରେ ପୁରୀ, ବାରଣାସୀ ଏବଂ ହରିଦ୍ୱାରକୁ ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ପର୍ଯ୍ୟଟକ ଆସୁଥିବାର ଦେଖାଯାଇଛି। ଯାହା ଫଳରେ ଏହା ଶ୍ରେଷ୍ଠ ତୀର୍ଥସ୍ଥଳୀ ପାଲଟିଛି।
ଓୟୋ ଦ୍ୱାରା ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଚଳିତ ବର୍ଷ ବାରଣାସୀ ଏବଂ ହରିଦ୍ୱାର ଭଳି ସହରରେ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ରରେ ବୁକିଂରେ ବ୍ୟାପକ ବୃଦ୍ଧି ଘଟିଛି। ଯୋଗୀ ସରକାରଙ୍କ ଦ୍ୱାରା ଉତ୍ତରପ୍ରଦେଶର ବିଭିନ୍ନ ଧାର୍ମିକ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଉଛି। ଫଳରେ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ଯା ବୃଦ୍ଧି ପାଇଛି। ଯାହାକୁ ଯୋଗୀ ସରକାରଙ୍କ ସଫଳତା ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଓୟୋ ଦ୍ୱାରା ପ୍ରକାଶିତ ୨୦୨୪ର ଟ୍ରାଭେଲପିଡିଆ ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶର ବାରଣାସୀ, ଅଯୋଧ୍ୟା, ମଥୁରା ଏବଂ ଓଡିଶାର ପୁରୀ ଶ୍ରୀମନ୍ଦିର ଭଳି ପ୍ରମୁଖ ଧାର୍ମିକ ସ୍ଥାନରେ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ବୁଲିବାକୁ ଆସି ହୋଟେଲ ବୁକିଂ କରୁଛନ୍ତି। ତେବେ ଏହି ସହରଗୁଡ଼ିକରେ ଧାର୍ମିକ ପର୍ଯ୍ୟଟନ ପ୍ରତି ଆଗ୍ରହ କ୍ରମାଗତ ଭାବେ ବଢିବାରେ ଲାଗିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ତେବେ ୨୦୨୩ ମସିହାରେ ମଧ୍ୟ ପୁରୀ ଅନନ୍ୟ ସ୍ଥାନ ଅଧିକାର କରିଥିଲା। ଧାର୍ମିକ ସ୍ଥଳ ବୁକିଂରେ ୨୦୨୩ ମସିହାରେ ପୁରୀ ପ୍ରଥମ ସ୍ଥାନ ଅଧିକାର କରିଥିଲା। କିନ୍ତୁ ଚଳିତ ବର୍ଷ ଏହି ସ୍ଥାନରେ ରହିଛି ହାଇଦ୍ରାବାଦ। ଏହା ପଛକୁ ରହିଛି ବେଙ୍ଗାଲୁରୁ, ଦିଲ୍ଲୀ ଏବଂ କୋଲକାତା।