ନୂଆଦଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ଭଳି ସମସ୍ତ ଦଳ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ କଂଗ୍ରେସ ମଧ୍ୟ ଆପ୍ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି । କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ୍ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଷ୍ଟ୍ର ବିରୋଧୀ ବୋଲି କହିଛନ୍ତି ।
ଏହା ସହିତ ଅଜୟ ମାକନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକସଭା ନିର୍ବାଚନ 2024 ରେ ଆମ୍ ଆଦମୀ ପାର୍ଟି ସହିତ ମେଣ୍ଟ ଗଠନ କରିବା କଂଗ୍ରେସର ଏକ ଭୁଲ ଥିଲା ଯାହାକୁ ବର୍ତ୍ତମାନ ସଂଶୋଧନ କରାଯିବା ଆବଶ୍ୟକ ରହିଛି ।
ବାସ୍ତବରେ ଦିଲ୍ଲୀ କଂଗ୍ରେସ ଆମ୍ ଆଦମୀ ପାର୍ଟି ସରକାରଙ୍କ ବିରୋଧରେ ଏକ ଶ୍ବେତ ପତ୍ର ଜାରି କରିଛି । ଏହି ସମୟରେ ଅଜୟ ମାକନ୍ କହିଛନ୍ତି ଯେ, ଦିଲ୍ଲୀରେ କଂଗ୍ରେସର ଦୁର୍ବଳତା ଏବଂ ଦିଲ୍ଲୀର ଦୁଃଖର ଏକ ପ୍ରମୁଖ କାରଣ ହେଉଛି 10 ବର୍ଷ ପୂର୍ବେ କେଜ୍ରିୱାଲଙ୍କ ନେତୃତ୍ୱରେ ପ୍ରଥମ ସରକାରଙ୍କୁ କଂଗ୍ରେସ ଦେଇଥିବା ସମର୍ଥନ । ତେବେ ଅଜୟ ମାକନ୍ ଏହା ମଧ୍ୟ କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ମତ ଅଟେ ।
ଅଜୟ ମାକନ୍ ବୁଧବାର ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନ ଘୋଷଣାକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, “ଯଦି କେଜ୍ରିୱାଲଙ୍କୁ ଗୋଟିଏ ଶବ୍ଦରେ ପରିପ୍ରକାଶ କରାଯାଇପାରିବ, ତେବେ ସେହି ଶବ୍ଦଟି “ଫର୍ଜିବାଲା ଅର୍ଥାତ୍ ଠକ”ଅଟେ । ଏହି ବ୍ୟକ୍ତିଙ୍କ ଘୋଷଣା କେବଳ ଠକେଇ, ଅନ୍ୟ କିଛି ନୁହେଁ ।” ମାକନ୍ କହିଛନ୍ତି ଯେ, ପଞ୍ଜାବରେ କେଜ୍ରିୱାଲ ଏହିସବୁ କରିବା ଉଚିତ୍ କାରଣ ସେଠାରେ ଉପରାଜ୍ୟପାଳ ନାହାଁନ୍ତି । ମାକନ୍ ପଚାରିଥିଲେ ଯେ କେଜ୍ରିୱାଲ ନକଲି ପ୍ରତିଶୃତି ଦେଇ ଲୋକଙ୍କୁ କାହିଁକି ବିଭ୍ରାନ୍ତ କରୁଛନ୍ତି?
ଅଜୟ ମାକନ୍ ତାଙ୍କ ମତରେ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ପୁଣିଥରେ ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ଗଠନ କରି ଏକ ଭୁଲ କରାଯାଇଛି । ଏହି ଭୁଲକୁ ସଂଶୋଧନ କରିବାର ଆବଶ୍ୟକ ରହିଛି । କେଜ୍ରିୱାଲଙ୍କ ପରି ଜଣେ ବ୍ୟକ୍ତିଙ୍କୁ ବିଶ୍ୱାସ କରାଯାଇପାରିବ ନାହିଁ । କେଜ୍ରିୱାଲଙ୍କର କୌଣସି ଆଦର୍ଶ ନାହିଁ ଏବଂ ଚିନ୍ତାଧାରା ନାହିଁ । ତାଙ୍କର ରାଜନତିକ ଅଭିଳାଷ ପାଇଁ ସେ ଯେକୌଣସି ସ୍ତରକୁ ଯାଇପାରନ୍ତି । ମାକନ୍ କହିଛନ୍ତି ଯେ, ସାମାନ ନାଗରିକ ସଂହିତା, ଧାରା 370 ଏବଂ ନାଗରିକତ୍ୱ ସଂଶୋଧନ ଆଇନ ପ୍ରସଙ୍ଗରେ କେଜ୍ରିୱାଲ ବିଜେପି ସହ ଠିଆ ହୋଇଥିଲେ । ମାକନ୍ ଆହୁରି କହିଛନ୍ତି- “କେଜ୍ରିୱାଲ ରାଷ୍ଟ୍ର ବିରୋଧୀ, ତାଙ୍କର ବ୍ୟକ୍ତିଗତ ଅଭିଳାଷ ବ୍ୟତୀତ ତାଙ୍କର କୌଣସି ଆଦର୍ଶ ନାହିଁ।”