Latest Odisha News

BREAKING NEWS

କାଜାଖସ୍ତାନ ବିମାନ ଦୁର୍ଘଟଣା ନେଲା ନୂଆ ମୋଡ଼, ସନ୍ଦେହରେ ରୁଷିଆ

ନୂଆଦିଲ୍ଲୀ : କାଜାଖସ୍ତାନ ବିମାନ ଦୁର୍ଘଟଣା ଘଟଣା ନୂଆ ମୋଡ ନେଇଛି । ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ଖଣ୍ଡ ବିଖଣ୍ଡିତ ହୋଇ ଜଳି ଯାଇଥିବା ଅଭିଯୋଗ କରିଛନ୍ତି ପାଶ୍ଚାତ୍ୟ ଦେଶ । ହେଲେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ରୁଷିଆ । ପକ୍ଷୀ ମାଡ଼ରେ ବିମାନ ଜଳିଯାଇଥିବା ରୁଷିଆ ଦାବି କରିଛି । ହେଲେ ବିମାନ ଦୁର୍ଘଟଣାର ଭିଜୁଆଲ କିନ୍ତୁ ସନ୍ଦେହ ଅଧିକ ବଢ଼ାଇଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ବିମାନର ପଛ ଭାଗରେ ରହିଛି ଗୁଳିମାଡ଼ର ଚିହ୍ନ ।

ପାଶ୍ଚାତ୍ୟ ଦେଶର କହିବା କଥା, ରୁଷିଆର ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରିପାରୁଥିବା ମିସାଇଲ ମାଡ଼ ଏହି ବିମାନ ଉପରେ କରାଯାଇଛି । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ରୁଷିଆରେ ଡ୍ରୋନ୍ ଆକ୍ରମଣର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ବିମାନଟି ବୋଧହୁଏ ରୁଷିଆର ସାମରିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଗୁଳି ଗ୍ରସ୍ତ ହୋଇଛି । ଧ୍ୱଂସାବଶେଷର ଭିଡିଓ ଏବଂ ଦକ୍ଷିଣ-ପଶ୍ଚିମ ରୁଷିଆର ବାୟୁସେନା ସୁରକ୍ଷା ପରିବେଶର ଆଖପାଖ ପରିସ୍ଥିତି ସୂଚାଇ ଦେଇଛି ଯେ ବିମାନଟି ଉପରେ କୌଣସି ପ୍ରକାରର ଆକ୍ରମଣ ହୋଇଥିବାର ଆଶଙ୍କା ରହିଛି ।

ଅନ୍ୟପଟେ ରଏଟର୍ସ କହିଛି, ପ୍ରାଥମିକ ଫଳାଫଳରୁ ଜଣାପଡିଛି, ବିମାନଟି ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଗୁଳିବିଦ୍ଧ ହୋଇଛି । ଗ୍ରୋଜନିରେ ପ୍ରବେଶ କରିବା ସମୟରେ ଏହା ଉପରେ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ ଦ୍ୱାରା ଆକ୍ରମଣ ହୋଇଥାଇପାରେ । ସେପଟେ ରୁଷିଆ ଏକ ବିବୃତି ଜାରି କରି ସମସ୍ତ ଦାବିକୁ ମିଥ୍ୟା ବୋଲି କହିଛି । ଏଥିସହ ପ୍ରତ୍ୟେକ ଅନୁସନ୍ଧାନରେ ସହଯୋଗ କରିବ ବୋଲି କହିଛି। ଗତ ବୁଧବାର ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ୪୨ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୫ ଜଣଙ୍କୁ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲ୍ୟାଣ୍ଡିଂ କରିବା ପୂର୍ବରୁ ବିମାନଟିରେ ନିଆଁ ଲାଗି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଦୁର୍ଘଟଣାଗ୍ରସ୍ତ ବିମାନଟି ଆଜରବୈଜାନ ଏୟାରଲାଇନ୍ସର । ଏହା ଆଜରବୈଜାନର ବାକୁରୁ ରୁଷିଆର ଗ୍ରଜନୀ ଅଭିମୁଖେ ଯାତ୍ରା କରୁଥିଲା ।

Comments are closed.