ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ରାଜସ୍ଥାନର କୋଟା ରେଳ ଷ୍ଟେସନ ନିକଟରୁ ୩ ଜଣ ସୁଟର୍ସଙ୍କୁ ଗିରଫ କରାଯାଇଛି । ଏହି ମିଳିତ ଅପରେସନ ରାଜସ୍ଥାନ ଆଣ୍ଟି-ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ (AGTF) ଏବଂ କୋଟା ସିଟି ପୋଲିସ ଦ୍ୱାରା ମୁମ୍ବାଇ ପୋଲିସର ସୂଚନା ଆଧାରରେ କରାଯାଇଥିଲା। ହରିୟାଣାର ଫୁଲ୍ ସିଂହ ଓ ରେହାନ୍ ଏବଂ ବିହାରର ହ୍ରିତିକ କୁମାରକୁ ଗିରଫ କରିଛି ପୋଲିସ।
ସୂଚନା ଥାଉକି ରବିବାର (୧୮ ଅକ୍ଟୋବର ୨୦୨୬) ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫ୍ ଏକ ଫୁଟବଲ୍ ମ୍ୟାଚ୍ ଖେଳି ଫେରୁଥିବା ସମୟରେ ବାଇକ୍ରେ ଆସିଥିବା ୩ ଜଣ ଦୁର୍ବୃତ୍ତ ତାଙ୍କ କାର୍ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ। ଏହି ଆକ୍ରମଣରେ ଅଭିନେତା ଟାଇଗର ଶ୍ରଫ୍ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏବଂ ସୁରକ୍ଷିତ ଅଛନ୍ତି । କିନ୍ତୁ ତାଙ୍କ କାର୍ ଚାଳକ (ଫିରଦୋସ) ଏବଂ ଜଣେ ସ୍ଥାନୀୟ ବ୍ୟକ୍ତି ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ପ୍ରାଥମିକ ତଦନ୍ତ ଏବଂ ସୋସିଆଲ ମିଡିଆ ପୋଷ୍ଟ ଅନୁସାରେ, ଏହି ଗୁଳିକାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା କୁହାଯାଉଛି। ଗିରଫ ସୁଟର୍ସ ବିଷ୍ଣୋଇ ଗ୍ୟାଙ୍ଗର ହୋଇଥିବା ସୂଚନା ମିଳିଛି। ଗ୍ୟାଙ୍ଗଷ୍ଟର ସଲମାନ ଖାନଙ୍କ ସହ କାମ କରୁଥିବା ବ୍ୟକ୍ତିମାନଙ୍କୁ ଚେତାବନୀ ଦେବା ପାଇଁ ଏହି ଆକ୍ରମଣ କରାଯାଇଥିବା ଦାବି ହୋଇଛି। CCTV ଫୁଟେଜ୍ରୁ ସୁରାକ୍ ପାଇ ୧୬ ଘଣ୍ଟା ଭିତରେ ଗିରଫ ହୋଇଛନ୍ତି ଅପରାଧୀ। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ପାଇଁ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଦାୟିତ୍ୱ ନେଇଛି।

