ଭୁବନେଶ୍ୱର: କୃତ୍ରିମ ବୁଦ୍ଧିମତ୍ତା (AI)ର ଅପବ୍ୟବହାରକୁ ନେଇ ଓଡ଼ିଶାରେ ଏକ ନୂଆ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ବିଜୁ ଜନତା ଦଳ ପକ୍ଷରୁ ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଆଇଏଏସ୍ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଟାର୍ଗେଟ୍ କରି ‘ଡିପ୍ଫେକ୍’ (deepfake) ଏବଂ ‘ଭଏସ୍-କ୍ଲୋନ୍ଡ’ (voice-cloned) ଭିଡିଓ ପ୍ରସ୍ତୁତ ଓ ପ୍ରଚାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ନକଲି ଭିଡିଓ ମାମଲାରେ ବିରୋଧୀ ଦଳ ବିଜେଡି ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଅଭିଯୋଗ ଦାଖଲ କରିଛି। ଏହାସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ନିକଟରେ ଦାବି କରାଯାଇଛି।
ବିଜେଡି ନେତ୍ରୀ ଅମୃତା ମିଶ୍ର ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରି ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଇନଷ୍ଟାଗ୍ରାମ ଏବଂ ଫେସବୁକରେ ପରିଚାଳିତ ହେଉଥିବା “ଓଡ଼ିଆଙ୍କ ଛତା” (Odianka Chhata) ନାମକ ଏକ ଆକାଉଣ୍ଟ ବିରୋଧରେ ଏହି ଅଭିଯୋଗ ହୋଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ନକଲି ଭିଡିଓରେ ସୁଜାତା କାର୍ତ୍ତିକେୟନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷଙ୍କୁ (Principal) ଧମକ ଦେବା ସହ କଲେଜର ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଥିବା ଦର୍ଶାଯାଇଛି। ବିଜେଡି ଅନୁସାରେ, ନିକଟରେ ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ କେନ୍ଦ୍ରାପଡ଼ାର ପ୍ରାୟ ସମସ୍ତ କଲେଜରେ ବିଜୁ ଛାତ୍ର ଜନତା ଦଳ (BCJD) ବିଜୟୀ ହୋଇଥିବାରୁ, ଏହାକୁ ସହ୍ୟ ନକରି ଦଳର ମହିଳା ନେତ୍ରୀଙ୍କୁ ବଦନାମ କରିବା ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି।
ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ଯଦି ପୋଲିସ ତୁରନ୍ତ ତଦନ୍ତ କରି ଦୋଷୀଙ୍କୁ ଗିରଫ ନକରେ, ତେବେ ବିଜେଡି ରାଜପଥକୁ ଓହ୍ଲାଇବା ସହ ଡିଜିପି (DGP) ଅଫିସ୍ ଘେରାଉ କରିବ। ଉନ୍ନତ କୃତ୍ରିମ ବୁଦ୍ଧିମତା (AI) ଏବଂ ଭଏସ୍ କ୍ଲୋନିଂ ଟେକ୍ନୋଲୋଜି ବ୍ୟବହାର କରି କରାଯାଇଥିବା ଏହି ଅପପ୍ରଚାର ଓ ସାଇବର ଅପରାଧ ବିରୋଧରେ ଏକ ନିରପେକ୍ଷ ତଦନ୍ତ ପାଇଁ ଦଳୀୟ କର୍ମକର୍ତ୍ତାମାନେ ଜୋରଦାର ଦାବି କରିଛନ୍ତି।

