Latest Odisha News

BREAKING NEWS

ବନ ବିଭାଗର ଟ୍ରାଙ୍କୁଲାଇଜ୍ ଉଦ୍ୟମ, ଚକ୍‌ମା ଦେଉଛି ଜିନ୍ନତ

ଭୁବନେଶ୍ଵର: ବନ ବିଭାଗ ଟିମ୍‌କୁ ପୁଣି ଚକ୍‌ମା ଦେଇଛି ବାଘୁଣୀ ଜିନ୍ନତ। ଆଜି ଅପରାହ୍ଣରେ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ରାଣୀବାଗ କଂସାବତୀ ଜଳଭଣ୍ଡାର ନିକଟକୁ ପାଣି ପିଇବାକୁ ଆସିଥିବା ବେଳେ ବାଘୁଣୀ ଜିନ୍ନତକୁ ସାଟେଲାଇଟ୍‌ ଟ୍ରାକ୍‌ କରି ଟାଙ୍କୁଲାଇଜ୍‌ କରିବାକୁ ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ପୂର୍ଣ୍ଣ ପ୍ରୟାସ କରିଥିଲା। ହେଲେ ବନ ବିଭାଗ ଟିମ୍‌କୁ ପୁଣି ଚକ୍‌ମା ଦେଇ ଖସିଯାଇଛି ଜିନ୍ନତ୍‌। ନିକଟସ୍ଥ ଜଙ୍ଗଲର ଏକ ବଡ଼ ଅଂଚଳକୁ ଜାଲ ଦ୍ବାରା ଘେରାଉ କରାଯାଇ ଚାରିପଟେ ନିଆଁ ଜାଳି ବାଘୁଣୀ ଜିନ୍ନତକୁ ଜଙ୍ଗଲ ବାହାରକୁ ଆଣି ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରିବାକୁ ଯୋଜନା କରୁଛି। ଡ୍ରୋନ୍‌ କ୍ୟାମେରା ସହାୟତାରେ ବାଘୁଣୀର ଅବସ୍ଥିତି ଜାଣିବାକୁ ପ୍ରୟାସ ଚାଲିଛି।

ସୂଚନା ମୁତବକ, ଶିମିଳିପାଳ ବାଘୁଣୀ ଜିନ୍ନତକୁ ନେଇ ଏବେ ଓଡିଶା ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ରାଜ୍ୟରେ ଚର୍ଚ୍ଚା ଲାଗିରହିଛି। ତେବେ ଶିମିଳିପାଳରୁ ଛୁ ମାରିଥିବା ବାଘୁଣୀ ଜିନ୍ନତ ବନ ବିଭାଗର ଜାଲରୁ ଖସି ଯାଇଛି। ବନ ବିଭାଗର ଅଭିଜ୍ଞ ଟିମ ବାରମ୍ବାର ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଖସିଯାଇଛି ଜିନ୍ନତ।

ଅନ୍ୟପଟେ ବାଘୁଣୀ ଜିନ୍ନତର ଆତଙ୍କରେ ସ୍ଥାନୀୟ ଲୋକେ ଆତଙ୍କିତ ଥିବା ବେଳେ ପଶ୍ଚିମବଙ୍ଗ ପ୍ରଶାସନ ପ୍ରଥମେ ପୁରୁଲିଆ ଓ ଝାଡ଼ଗ୍ରାମ ଅଞ୍ଚଳରେ ହାଇଆଲର୍ଟ ଜାରି କରିଥିଲା। ମାତ୍ର ଏବେ ଜିନ୍ନତ ଶିମିଳିପାଳରୁ ଆହୁରି ଦୂରକୁ ଯାଇ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣିବାଗ ଥାନା କଂସାବତୀ ଜଳ ଭଣ୍ଡାର ନିକଟରେ ରହିଥିବାର ଜଣାଯାଇଛି। ଏଣୁ ପଶ୍ଚିମବଙ୍ଗ ସରକାର ତଥା ବନ ବିଭାଗ ବାରୁଣିଆ, ଗୋପାଳପୁର, ଗୋସାଇଁ ଡ଼ିହି, ଆଦି ଗ୍ରାମରେ ହାଇଆଲର୍ଟ ଜାରି କରିବା ସହ  ତୀକ୍ଷ୍ଣ ନଜର ରଖିଛି।

ବାରମ୍ବାର ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ କରାଯାଇ ଘଞ୍ଚ ଜଙ୍ଗଲରୁ ଜିନ୍ନତକୁ ବାହାରକୁ ଆଣିବା ପାଇଁ ବନ ବିଭାଗ ଛେଳି, ମଇଁଷିଙ୍କୁ ଥୋପ କରିଥିଲେ ମଧ୍ୟ ଜିନ୍ନତ ଭୟରେ ବାହାରକୁ ଆସୁନାହିଁ। ଫଳରେ ଘଣ୍ଟାଘଣ୍ଟା ଧରି ଜଗି ରହି ବନ ବିଭାଗ ଟିମ ଶେଷରେ ନିରାଶ ହେଉଛି। ସେହିପରି ଜାଲ ବିଛାଇ ବାଘ ଧରିବାରେ ଏକ୍ସପର୍ଟ ସୁନ୍ଦରବନର ସ୍ୱତନ୍ତ୍ର ଟିମ ମଧ୍ୟ ତାକୁ ଧରିବାରେ ବିଫଳ ହୋଇଛନ୍ତି। ତେଣୁ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନବିଭାଗ ନୂଆ ରଣନୀତି ପ୍ରସ୍ତୁତ କରି ଆସାମର କାଜିରଙ୍ଗା ଅଭୟାରଣ୍ୟରୁ ସ୍ଵତନ୍ତ୍ର ଟ୍ରାଙ୍କୁଲାଇଜ ଦଳ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ)ର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ାଙ୍କ ଟିମ ଟ୍ରାଙ୍କୁଲାଇଜ ପାଇଁ ପ୍ରୟାସ ଜାରି ରଖିଛନ୍ତି।

ତେବେ ଶିମିଳିପାଳ ଠାରୁ ଜିନ୍ନତ ପ୍ରାୟ ୨୨୦ କିମି ଦୂରକୁ ଚାଲିଗଲାଣି । ଯଦି ସେ ସେଠାରୁ ଆଉ ୨୬୦ କିମି ଦୂର ସୁନ୍ଦରବନ ମୁହାଁ ହୁଏ ତେବେ ଜିନ୍ନତକୁ ଶିମିଳିପାଳ ଫେରାଇବା କଷ୍ଟକର ହେବ। ଏନେଇ ପରିବେଶ ବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ପିସିସିଏଫ ପ୍ରେମ କୁମାର ଝା ଓ ବାରିପଦା ମଣ୍ଡଳ ଆରସିସିଏଫ ଡ. ପ୍ରକାଶ ଚାନ୍ଦ ଗୋଗିନାନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଟ୍ରାଙ୍କୁଲାଇଜ ପରେ ଜିନତକୁ ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇ ଅଣାଯିବା ପରେ ପୁଣି ଏନକ୍ଲଜରରେ ରଖାଯିବ।

Comments are closed.