Latest Odisha News

BREAKING NEWS

ଫେବୃଆରୀରୁ ଆୟୁଷ୍ମାନ: ଜାଣନ୍ତୁ କେମିତି କରିବେ ଆବେଦନ…

ଭୁବନେଶ୍ବର: ରାଜ୍ୟରେ ଫେବୃଆରୀରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଯୋଜନା । ଆସନ୍ତା ବର୍ଷ ଫେବୃଆରୀରୁ ରାଜ୍ୟରେ ଉଭୟ ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟବାସୀ ଉପକୃତ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ମନ୍ତ୍ରୀ କହିଛନ୍ତି, ଫେବ୍ରୁଆରୀରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବାକୁ ଯାଉଛି । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହେବ । ଏଥିରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ।

ତେବେ ଯଦି ଏପର୍ଯ୍ୟନ୍ତ ଆପଣ ଏହି ସ୍ବାସ୍ଥ୍ୟ ସେବା ପାଇଁ ଆବେଦନ କରିନାହାନ୍ତି, ତାହା ହେଲେ ଜାଣନ୍ତୁ ଏତିରେ କିପରି କରିବେ ଆବେଦନ ? ଏବଂ ଏଥିରେ କେଉଁ କେଉଁମାନେ ଆବେଦନ କରିପାରିବେ ?

ତେବେ ପରିବାରରେ ଯଦି କେହି ଅକ୍ଷମ ସଦସ୍ୟ ଥାଆନ୍ତି, ଯଦି ଆପଣଙ୍କ ଘର ଚାଳ-ଛପରର ହୋଇଥାଏ, ଆପଣ ଯଦି ଦିନ ମଜୁରିଆ ହୋଇଥାନ୍ତି, ଜଣେ ଭୂମିହୀନ ବ୍ୟକ୍ତି, ଯେକୌଣସି ଅନୁସୂଚିତ ଜାତି କିମ୍ବା ଜନଜାତି, ଜଣେ ଗ୍ରାମାଞ୍ଚଳର ବାସିନ୍ଦା କିମ୍ବା ଆଦିବାସୀ ଏହି ସେବାର ଲାଭ ଉଠାଇ ପାରିବେ । ଏଥିସହିତ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ । ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ଯୋଜନା ଅଧୀନରେ ଏକ ନୂଆ କାର୍ଡ ପ୍ରଦାନ କରାଯିବ, ଯାହା ମୋଦି କାର୍ଡ ଭାବରେ ଜଣାଶୁଣା । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବାନୁଯାୟୀ, ୭୦ ବର୍ଷରୁ ଅଧିକ ବୟସର ଯେକୌଣସି ବ୍ୟକ୍ତିଙ୍କର ଆଧାର ନମ୍ବର ଅଛି ସେମାନେ ଏହି ଯୋଜନାରେ ଆବେଦନ କରିପାରିବେ ।

କିପରି କରିବେ ଆବେଦନ?

ଏଥିପାଇଁ ପ୍ରଥମେ ଆୟୁଷ୍ମାନ ଭାରତ PM-JAYର ଅଫିସିଆଲ୍ ୱେବସାଇଟକୁ ଯିବାପରେ ଆପଣଙ୍କର ଆଧାର କିମ୍ବା ରେସନ କାର୍ଡ ଏଥିରେ ଭେରିଫାଏ କରାନ୍ତୁ । ପାରିବାରିକ ପରିଚୟ ପ୍ରମାଣ ପ୍ରଦାନ କରନ୍ତୁ । ଏହା ପରେ ଏକ ସ୍ୱତନ୍ତ୍ର ଆୟୁଷ୍ମାନ ଯୋଜନା ଆଇଡି ସହିତ ଆପଣଙ୍କର ଇ-କାର୍ଡ ପ୍ରିଣ୍ଟ୍ କରନ୍ତୁ ।

ତେବେ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଆସୁଥିବା ସମସ୍ତ ଯୋଗ୍ୟ ଲୋକଙ୍କୁ ଏହି ଯୋଜନାର ଲାଭ ଦିଆଯାଇଥାଏ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଗୁରୁତର ରୋଗୀଙ୍କୁ ସାମିଲ କରାଯାଇଛି । କୌଣସି ବି ସରକାରୀ ହସ୍ପିଟାଲରେ ଭର୍ତ୍ତି ସମୟରେ ଏହି ଯୋଜନା ପ୍ରଥମ ଦିନରୁ ହିଁ ଲାଗୁ ହୋଇଯାଇଥାଏ ଏବଂ ଆପଣଙ୍କୁ ମାଗଣାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଦିଆଯାଇଥାଏ ।

ଯାହାକୁ ରାଜ୍ୟ ସରକାର ରାଜ୍ୟର ସ୍ବାସ୍ଥ୍ୟ ସହାୟତା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ମିଳିତ ଭାବେ ରାଜ୍ୟବାସୀଙ୍କୁ ଯୋଗାଇ ଦେବେ । ବିଜେଡି ସରକାରର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’କୁ ବନ୍ଦ କରିବା ପରିବର୍ତ୍ତେ ଏହାର ଭିନ୍ନ ନାଁ ରଖି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସହ ମିଶାଇ ରାଜ୍ୟବାସୀଙ୍କୁ ଏହି ଚିକିତ୍ସା ସେବା ଯୋଗାଇ ଦେବେ ରାଜ୍ୟ ସରକାର । ଯେଉଁମାନଙ୍କର ବିଜୁ ସ୍ବାସ୍ଥ୍ୟ କାର୍ଡ ରହିଥିଲା ସେମାନେ ଏହି ଯୋଜନାରେ ସାମିଲ ହେବେ । ଏଥିସହିତ ନୂତନ ଆବେଦନକୁ ମଧ୍ୟ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

Comments are closed.