ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ ଚା ଏବଂ କଫି ପିଇବାକୁ ପସନ୍ଦ କରନ୍ତି । ସକାଳୁ ସକାଳୁ କପେ ଚା’ କିମ୍ବା କଫି ନହେଲେ ସେମାନଙ୍କର ଦିନ ଆରମ୍ଭ ହୁଏନି । କେବଳ ସକାଳେ ନୁହେଁ କିଛି ଲୋକ ଏପରି ଥା’ନ୍ତି ଯେଉଁମାନେ ଦିନସାରା ଚା’ ପିଉଥାନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଚା’ କିମ୍ବା କଫି ପିଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ସେହିପରି ଏହାର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଥାଏ । ଏପରିସ୍ଥିତିରେ ‘ଆମେରିକୀୟ କ୍ୟାନସର ସୋସାଇଟି’ରେ ପ୍ରକାଶିତ ଏକ ପତ୍ରିକାରେ କର୍କଟ ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚା ଏବଂ କଫି ପିଇବା ଦ୍ୱାରା ମୁଣ୍ଡ ଏବଂ ବେକ କର୍କଟ ହେବାର ଆଶଙ୍କା ହ୍ରାସ ପାଉଛି ।
ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ଚା ଏବଂ କଫି ପିଇବା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ହାନିକାରକ ନୁହେଁ ବରଂ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ମୁଣ୍ଡ ଏବଂ ବେକ କର୍କଟ ରୋଗର ଆଶଙ୍କା ହ୍ରାସ କରିଥାଏ। ‘ଆମେରିକୀୟ କ୍ୟାନସର ସୋସାଇଟି’ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଚା ଏବଂ କଫିକୁ ନେଇ ହୋଇଥିବା ଗବେଷଣା ଉଲ୍ଲେଖ କରାଯାଇଛି । ବୈଜ୍ଞାନିକମାନେ ୧୪ ଟି ଅଧ୍ୟୟନର ତଥ୍ୟକୁ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରିଛନ୍ତି । ଆନ୍ତର୍ଜାତୀୟ ମୁଣ୍ଡ ଏବଂ ବେକ କର୍କଟ ଏପିଡେମିୟୋଲୋଜି କନ୍ସୋର୍ଟିୟମ୍ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା ଏବଂ ଅନୁସନ୍ଧାନକାରୀମାନେ ମୁଣ୍ଡ ଏବଂ ବେକ କର୍କଟରେ ପୀଡିତ ୯୫୦୦ ରୁ ଅଧିକ ରୋଗୀଙ୍କୁ ପରୀକ୍ଷା କରିଥିଲେ। ସେହିପରି ୧୫,୭୦୦ରୁ ଅଧିକ କର୍କଟମୁକ୍ତ ରୋଗୀଙ୍କୁ ମଧ୍ୟ ପରୀକ୍ଷା କରିଥିଲେ।
ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଯେଉଁମାନେ ନିୟମିତ ଭାବରେ ଚା କିମ୍ବା କଫି ପିଉଛନ୍ତି, ସେମାନଙ୍କ ମୁଣ୍ଡ ଏବଂ ବେକ କର୍କଟ ହେବାର ଆଶଙ୍କା କମ୍ ରହୁଛି । ଏଥିମଧ୍ୟରେ ପାଟି, ଗଳା ଏବଂ ଫୁସଫୁସ କର୍କଟ ମଧ୍ୟ ଅନ୍ତର୍ଭୁକ୍ତ । ଦୈନିକ ଚାରି କପରୁ ଅଧିକ କଫିନ୍ ଯୁକ୍ତ କଫି ପିଉଥିବା ବ୍ୟକ୍ତିଙ୍କର କଫି ପିଉନଥିବା ବ୍ୟକ୍ତିଙ୍କ ତୁଳନାରେ ମୁଣ୍ଡ ଏବଂ ବେକ କର୍କଟ ହେବାର ଆଶଙ୍କା ୧୭ ପ୍ରତିଶତ କମ୍ ରହୁଛି । ନିୟମିତ କଫି ପିଉଥିବା ଲୋକମାନଙ୍କର ମୁଖରେ କର୍କଟ ରୋଗର ୩୦ ପ୍ରତିଶତ କମ୍ ଏବଂ ଗଳାରେ ୨୨ ପ୍ରତିଶତ କମ୍ କର୍କଟ ରୋଗର ଆଶଙ୍କା ଥାଏ ।
ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପ୍ରତିଦିନ ୩-୪ କପ୍ କଫି ପିଇବା ଦ୍ୱାରା ହାଇପୋଫାର୍ଜିଙ୍ଗାଲ୍ କର୍କଟ ହେବାର ଆଶଙ୍କା ୪୧ ପ୍ରତିଶତ କମିଯାଏ। ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ, କଫିନ ଯୁକ୍ତ କଫି ମଧ୍ୟ ଲାଭଦାୟକ ଅଟେ କାରଣ ଏହା ମୁଖ ଗହ୍ଵରରେ କର୍କଟ ରୋଗର ଆଶଙ୍କା ୨୫ ପ୍ରତିଶତ ହ୍ରାସ କରିବାରେ ସାହାଯ୍ୟ କରିଥାଏ। କଫି ସହିତ ଚା ମଧ୍ୟ ’ ହାଇପୋଫାର୍ଜିଙ୍ଗାଲ୍’ କର୍କଟ ରୋଗର ଆଶଙ୍କା ୨୯ ପ୍ରତିଶତ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଏକ କପ୍ ଚା ପିଇବା ଦ୍ୱାରା ମୁଣ୍ଡ ଏବଂ ବେକ କର୍କଟ ରୋଗର ସାମଗ୍ରିକ ବିପଦ ୯% ଏବଂ ହାଇପୋଫାର୍ଜିଙ୍ଗାଲ୍ କର୍କଟ ହେବାର ଆଶଙ୍କା ୨୭% ହ୍ରାସ ହୋଇପାରେ ।
Comments are closed.