Latest Odisha News

ଗାଜା ଉପରେ ଇସ୍ରାଏଲ୍‌ର ଘନଘନ ଆକ୍ରମଣ, ୩ ଦିନରେ ୭୧ ମୃତ

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲ୍‌ର ଘନଘନ ଆକ୍ରମଣ । ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ୭୧ ଜଣ ପାଲେଷ୍ଟାଇନ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏୟାରଷ୍ଟ୍ରାଇକରେ ହମାସ୍ ଅଫିସରଙ୍କ ସମେତ ଅନେକ ଶିଶୁ ଓ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତେବେ ନୂଆବର୍ଷରୁ ଲଗାତାର ୩ ଦିନ ହେଲାଣି ଗାଜା ଉପରେ ଆକ୍ରମଣ କରୁଛି ଇସ୍ରାଏଲ୍ ।

ଗତ ୩ଦିନ ଧରି ଇସ୍ରାଏଲର ଆକ୍ରମଣରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ସଦ୍ୟତମ ଆଇଡିଏଫ୍ ଆକ୍ରମଣରେ ଅତି କମରେ ୭୧ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲର ଏହି ଆକ୍ରମଣରେ ଗାଜାର ପୋଲିସ ମହାନିର୍ଦ୍ଦେଶକ ତଥା ଡିଜିପିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତେବେ ଆଇଡିଏଫ୍ ଆକ୍ରମଣରେ ଅଧିକାଂଶ ଶିଶୁ ଓ ମହିଳାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏନେଇ ହାମାସ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ହମାସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗତ ଜାନୁୟାରୀ ୨ ତାରିଖରେ ଇସ୍ରାଏଲ୍ ସେନା ୩୦ ରୁ ଅଧିକ ସ୍ଥାନରେ ଆକ୍ରମଣ କରିଥିଲା। ଉତ୍ତର ଗାଜାର ଅଲ-ମାୱାସୀ ଶରଣାର୍ଥୀ ଶିବିର ଏବଂ ଜବାଲିଆ ଶରଣାର୍ଥୀ ଶିବିରକୁ ଇସ୍ରାଏଲ ସେନା ମୁଖ୍ୟତଃ ଟାର୍ଗେଟ କରିଥିଲେ । ରିପୋର୍ଟ ଅନୁଯାୟୀ, ଅଲ-ମାୱାସିର ଏକ ଶିବିରରେ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଥିବା ୧୨ ଜଣଙ୍କ ମଧ୍ୟରେ ଗାଜା ପୋଲିସର ମୁଖ୍ୟ ମହମୁଦ ସଲାହ ଏବଂ ତାଙ୍କ ଡେପୁଟି ହୁସାମ ଶାହୱାନ ମଧ୍ୟ ଅଛନ୍ତି ବୋଲି ଡାକ୍ତରୀ ସୂତ୍ରରୁ ପ୍ରକାଶ।

ତେବେ ନିକଟରେ ଇସ୍ରାଏଲ୍ ଏବଂ ହମାସ୍ ଚୁକ୍ତିନାମାରେ ବିଳମ୍ବକୁ ନେଇ ଉଭୟଙ୍କ ଉପରେ ଅଭିଯୋଗ କରିଥିଲେ । କତାର, ଇଜିପ୍ଟ ଏବଂ ଆମେରିକା ପରୋକ୍ଷ କଥାବାର୍ତ୍ତା ମାଧ୍ୟମରେ ଉଭୟ ପକ୍ଷ ମଧ୍ୟରେ ଚୂଡ଼ାନ୍ତ ଚୁକ୍ତି କରିବାକୁ ଅନେକ ମାସ ଧରି ଚେଷ୍ଟା କରିଆସୁଛନ୍ତି। ଚଳିତ ବର୍ଷ ପ୍ରଥମ ଦୁଇ ଦିନରେ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ମିଶାଇ ଏପର୍ଯ୍ୟନ୍ତ ଗାଜାରେ ୪୬୦୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ସେପଟେ ସିରିଆର ଅଲେପ୍ପୋର ଦକ୍ଷିଣରେ ଥିବା ପ୍ରତିରକ୍ଷା କାରଖାନା ଉପରେ ଇସ୍ରାଏଲର ଆକ୍ରମଣ ସମୟରେ ୭ ଟି ବଡ଼ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ତେବେ ଏହି ଆକ୍ରମଣରେ କୌଣସି ଆହତଙ୍କ ସମ୍ପର୍କରେ ସୂଚନା ମିଳିପାରି ନାହିଁ।

Comments are closed.