Latest Odisha News

ଗତ ୩ ବର୍ଷରେ ଏହି ମନ୍ଦିରରେ ଭକ୍ତ ଦାନ କରିଛନ୍ତି ୪ ହଜାର କିଲୋ ସୁନା

ତିରୁପତି: ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁପତି ବାଲାଜୀ ମନ୍ଦିରରେ ଭଗବାନ ଭେଙ୍କଟେଶ୍ବରଙ୍କ ପ୍ରତି ଭକ୍ତଙ୍କ ଅଦମ୍ୟ ବିଶ୍ୱାସ ପ୍ରତିବର୍ଷ ବିପୁଳ ଦାନରେ ପରିଣତ ହୋଇଥାଏ । ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହୋଇଥାଏ । କାରଣ ଏହା ସେମାନଙ୍କର ଭକ୍ତିର କେନ୍ଦ୍ର ଅଟେ । ଭଗବାନ ଭେଙ୍କଟେଶ୍ୱରଙ୍କ ଭକ୍ତମାନେ ଖୋଲା ହସ୍ତରେ ଦାନ କରନ୍ତି । ଏହି ଦାନରେ ନଗଦ, ସୁନା ଏବଂ ରୂପା, ବିଦେଶୀ ମୁଦ୍ରା ଏବଂ ଏପରିକି କେଶ ଦାନ ମଧ୍ୟ ଅନ୍ତର୍ଭୁକ୍ତ । ଏହି ଦାନଗୁଡିକ ମନ୍ଦିରର ହୁଣ୍ଡିରେ ଜମା କରାଯାଇଥାଏ, ଯାହା ପରେ ଶ୍ରୀ ଭରାହ ସ୍ବାମୀ ମନ୍ଦିର ନିକଟରେ ଥିବା ନୂତନ ପରାକାମଣି ଭବନରେ ଅଲଗା ଅଲଗା କରାଯାଇଥାଏ ।

ତେବେ ବିଗତ ବର୍ଷ ଅର୍ଥାତ୍‌ ୨୦୨୪ରେ ଆନ୍ଧ୍ର ପ୍ରଦେଶସ୍ଥିତ ତିରୁପତି ମନ୍ଦିର ହୁଣ୍ଡିକୁ ୧୩୬୫ କୋଟି ଟଙ୍କା ମିଳିଥିବା ଜଣାପଡିଛି । ଯାହା ରେକର୍ଡ ସଂଖ୍ୟକ ଅଟେ ।

ତିରୁମାଲା ତିରୁପତି ଦେବସ୍ଥାନମ୍‌ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତବର୍ଷ ୨.୫୫ କୋଟି ଭକ୍ତ ତିରୁପତି ମନ୍ଦିର ପରିଦର୍ଶନ କରିଥିବାବେଳେ ହୁଣ୍ଡିରୁ ୧୩୬୫ କୋଟି ଟଙ୍କା ମିଳିଛି । ୨୦୨୨ ଓ ୨୦୨୩ରେ ଏହି ପରିମାଣ ଯଥାକ୍ରମେ ୧୨୯୧.୬୯ ଓ ୧୩୯୧.୮୬ କୋଟି ରହିଥିଲା ।

୨୦୨୪ରେ ମାନସିକ ରଖିଥିବା ୯୯ ଲକ୍ଷ ଶ୍ରଦ୍ଧାଳୁ ତିରୁପତିରେ ଲଣ୍ଡା ହୋଇଥିବାବେଳେ ୬.୩୦ କୋଟି ଶ୍ରଦ୍ଧାଳୁ ମନ୍ଦିରରେ ପ୍ରସାଦ ସେବନ କରିଛନ୍ତି । ଭକ୍ତଙ୍କ ନିମନ୍ତେ ଗତବର୍ଷ ୧୨.୧୪ କୋଟି ଲଡୁ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଟିଟିଡି ପକ୍ଷରୁ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ହୁଣ୍ଡିରୁ ୧୬୧୧ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି । ବ୍ୟାଙ୍କରେ ଗଚ୍ଛିତ ଥିବା ଜମାରାଶିରୁ ସୁଧ ଆକାରରେ ମନ୍ଦିରକୁ ୧୧୬୭ କୋଟି ଟଙ୍କା ମିଳିଥିବା କୁହାଯାଇଛି ।

ଟିଟିଡିର ବଜେଟର ଏକ ବଡ଼ ଅଂଶ ମାନବ ସମ୍ବଳ ଏବଂ ବିକାଶ ପ୍ରକଳ୍ପ ପାଇଁ ଆବଣ୍ଟିତ ହୋଇଥାଏ । ଦରମା ଏବଂ ଭତ୍ତା ପାଇଁ ୧,୭୭୩ କୋଟି ଟଙ୍କା ଏବଂ ଇଞ୍ଜିନିୟରିଂ କାର୍ୟ୍ୟ ପାଇଁ ୩୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ହିନ୍ଦୁ ଧର୍ମ ପ୍ରଧାନ ପରିଷଦ ପାଇଁ ୧୦୮.୫୦ କୋଟି ଏବଂ ବିଭିନ୍ନ ଅନୁଷ୍ଠାନ ପାଇଁ ୧୧୩.୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ୫୦ କୋଟି ଟଙ୍କାର ଅବଦାନ ମଧ୍ୟ ଦିଆଯାଇଥିବା ସୂଚନା ରହିଛି ।

Comments are closed.