Latest Odisha News

BREAKING NEWS

ଚାକିରି ପାଇଁ ଠକେଇ ମାମଲା, ସମସ୍ତ ମାମଲାରେ ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର: ସମସ୍ତ ମାମଲାରେ ଦୋଷମୁକ୍ତ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ । ଆଜି ୩ଟି ମାମଲାରୁ ତାଙ୍କୁ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ । ଟାଟାରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ସାଂସଦ ପ୍ରଦୀପ ପାଣିଗ୍ରାହୀ । ଗତକାଲି ୨ଟି ମାମଲାରେ ଦୋଷମୁକ୍ତ ହୋଇଥିବା ବେଳେ ଆଜି ୩ଟି ମାମଲାରୁ ତାଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ଗୋପାଳପୁରର ବିଧାୟକ ଥିବା ସମୟରେ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାମରେ ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନାରେ କାର୍ତ୍ତିକ ପ୍ରଧାନ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିବା ବେଳେ ଗୋଳନ୍ଥରା ଥାନାରେ ଲକ୍ଷ୍ମୀ ନାୟକ ନାମ୍ନୀ ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା । ଗତ ୨୦୨୦ ମସିହା ନଭେମ୍ବର ମାସରେ ଏନେଇ କଟକ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପରେ ପ୍ରଦୀପଙ୍କ ନାଁରେ ୫ଟି ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ବିଜେଡିରୁ ତାଙ୍କୁ ବହିଷ୍କାର ମଧ୍ୟ କରାଯାଇଥିଲା ।

ତେବେ ପୂର୍ବ ସରକାରଙ୍କ ଚାପର ଶିକାର ହୋଇ କେସ୍‌ ଦେଇଥିବା ନେଇ ଅଭିଯୋଗକାରୀ କୋର୍ଟରେ ବୟାନ ରଖିବା ପରେ ଏବେ ଗତକାଲି ତାଙ୍କୁ ୨ଟି ମାମଲାରେ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଅନ୍ୟପଟେ ପ୍ରଦୀପଙ୍କ ସହ ଅଭିଯୁକ୍ତ ଥିବା ପୂର୍ବତନ ‘ଆଇଏଫଏସ’ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ । ଆଜି ଅନ୍ୟ ୩ଟି ମାଲାରେ ରାୟ ପ୍ରକାଶ କରି ପ୍ରଦୀପ ପାଣିଗ୍ରାହୀଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ ।

Leave A Reply

Your email address will not be published.