ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତ ସରକାର ସାଧାରଣ ନାଗରିକଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଜନସାଧାରଣ ଉପକୃତ ହେବା। କିନ୍ତୁ ଏହି ଯୋଜନାଗୁଡିକ ବିଷୟରେ ସୂଚନା ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚି ନଥାଏ । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ୱେବସାଇଟ୍ ତିଆରି କରିଛନ୍ତି, ଯେଉଁଠାରେ ଆପଣ ଆପଣଙ୍କର ହିସାବରେ ଯେକୌଣସି ସ୍କିମ୍ ବିଷୟରେ ସୂଚନା ପାଇପାରିବେ । ଏହି ପୋର୍ଟାଲର ନାମ ହେଉଛି ମାଇଁ ସ୍କିମ୍ (my Scheme) ।
ଏହା ଏକ ନ୍ୟାସନାଲ ପ୍ଲାଟଫର୍ମ । ଏହା ମାଧ୍ୟମରେ ସରକାରୀ ଯୋଜନା ଖୋଜିବା ସହଜ ହୋଇଯାଏ । ଏହାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ଓ୍ବାନ୍ ଷ୍ଟେପ୍ ସଲ୍ୟୁସନ ପ୍ରଦାନ କରିବା । ଏଥିରେ ସେମାନେ ସମସ୍ତ ସରକାରୀ ଯୋଜନା ବିଷୟରେ ଗୋଟିଏ ସ୍ଥାନରେ ସୂଚନା ପାଇପାରିବେ । ଏହା ଏକ ଟେକ୍ନୋଲୋଜି ଆଧାରିତ ସମାଧାନ । ଏଥିରେ ନାଗରିକଙ୍କ ଯୋଗ୍ୟତା ଆଧାରରେ ଯୋଜନାଗୁଡିକ ବିଷୟରେ ସୂଚନା ଦିଆଯାଇଥାଏ । କମ୍ ଶିକ୍ଷିତ ବ୍ୟକ୍ତି ମଧ୍ୟ ଏହି ପୋର୍ଟାଲର ସହଜରେ ବ୍ୟବହାର କରିପାରିବେ ।
ଏହି ପୋର୍ଟାଲ ମାଧ୍ୟମରେ ନାଗରିକମାନେ ସମସ୍ତ ସରକାରୀ ଯୋଜନା ବିଷୟରେ ସୂଚନା ପାଆନ୍ତି । ଏହି ଯୋଜନାଗୁଡିକ ପାଇଁ ସେମାନେ ସହଜରେ ଆବେଦନ କରିପାରିବେ । my Scheme ପୋର୍ଟାଲ ଦ୍ବାରା ଅଲଗା ଅଲଗା ସରକାରୀ ୱେବସାଇଟକୁ ଯାଇ ଯୋଜନା ସମ୍ବନ୍ଧରେ ଯାଞ୍ଚ କରିବାର ଅସୁବିଧା ଦୂର ହୋଇଛି । ଏହି ପ୍ଲାଟଫର୍ମ ଜାତୀୟ ଇ-ଗଭର୍ନାନ୍ସ ଡିଭିଜନ୍ (NeGD) ଓ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଛି । ଏଥିରେ ବ୍ୟକ୍ତିଗତ ବିବରଣୀ ଦେଇ ଆପଣ ନିଜର ଯୋଗ୍ୟତା ଯାଞ୍ଚ କରିପାରିବେ । ନାଗରିକଙ୍କ ପାଇଁ ସରକାରୀ ଯୋଜନାକୁ ସହଜ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ। ଯାହାଦ୍ୱାରା ସେମାନେ ସହଜରେ ଯୋଜନାଗୁଡ଼ିକର ଲାଭ ଉଠାଇପାରିବ ।
ଏହି ପୋର୍ଟାଲରେ ପ୍ରାୟ ୨୯୫୦ରୁ ଅଧିକ ସ୍କିମ୍ ଉପଲବ୍ଧ । ସେଥିମଧ୍ୟରୁ ୫୨୦ରୁ ଅଧିକ କେନ୍ଦ୍ରୀୟ ଯୋଜନା ଏବଂ ୨୪୧୦ରୁ ଅଧିକ ରାଜ୍ୟ ଯୋଜନା ରହିଛି । ସମସ୍ତ ସେକ୍ଟର ପାଇଁ ବିଭିନ୍ନ ଯୋଜନା ରହିଛି । ଏଥିରେ କୃଷି, ଗ୍ରାମାଞ୍ଚଳ, ପରିବେଶ, ବ୍ୟାଙ୍କିଙ୍ଗ, ବୀମା, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ, ଗୃହ, କ୍ରୀଡା ଏବଂ ସଂସ୍କୃତି ଭଳି ଅନେକ କ୍ଷେତ୍ରର ଯୋଜନା ଅନ୍ତର୍ଭୁକ୍ତ ଅଛି ।
my Scheme ତିନୋଟି ସହଜ ଷ୍ଟେପରେ କାମ କରେ:-
-ସର୍ବପ୍ରଥମେ ଆପଣ ନିଜର ସୂଚନା ଯେପରି ଆୟ ଇତ୍ୟାଦି ପୂରଣ କରିବାକୁ ପଡିବ ।
-my Scheme ଆପଣଙ୍କ ସୂଚନା ଉପରେ ଆଧାର କରି ସର୍ବୋତ୍ତମ ଯୋଜନାଗୁଡିକର ତାଲିକା ଦେଖାଇବ ।
-ଆପଣ ସେହି ଯୋଜନାଗୁଡିକ ବିଷୟରେ ଅଧିକ ସୂଚନା ପାଇପାରିବେ ଏବଂ ଆବେଦନ କରିପାରିବେ ।