Latest Odisha News

BREAKING NEWS

ଗୋପିଓ ଇଣ୍ଟରନ୍ୟାସ୍‍ନାଲ୍‍ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ପ୍ରଥମ ପିଆଇଓ ଏକ୍‍ସଲେନ୍‍ସ ସମ୍ମାନ

ଭାରତୀୟ ବଂଶୋଦ୍ଭବ ବିଶ୍ୱ ସଂଗଠନ ପକ୍ଷରୁ

 

ଭୁବନେଶ୍ୱର: ଗୋପିଓ ଇଣ୍ଟରନ୍ୟାସ୍‍ନାଲ୍‍ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରଥମ ପିଆଇଓ ଏକ୍‍ସଲେନ୍‍ସ ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା ଓ ଜନଜାତି ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଗ୍ଲୋବାଲ୍‍ ଅର୍ଗାନାଇଜେସନ୍‍ ଅଫ୍‍ ପିପୁଲ୍‍ ଅଫ୍‍ ଇଣ୍ଡିଆନ୍‍ ଅରିଜିନ୍‍ (ଗୋପିଓ)ର ସଦସ୍ୟମାନେ ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି। ଏହି ଅବସରରେ କିସ୍‍ ପରିଦର୍ଶନ କରି କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସେମାନେ ସମ୍ବୋଧିତ କରିବା ପରେ କିଟ୍‍ ପରିସରରେ ଆୟୋଜିତ ‘ଭାରତ ୨୦୨୫ ଏବଂ ଭାରତୀୟ ବଂଶୋଦ୍ଭବ- ଏକ ଭାବ ବିନିମୟ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସେହିପରି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଓଏସ୍‍ଡି ସନ୍‍ମୁଗନ୍‍ ମୁକ୍କାନ ଓ ଜେଏନ୍‍ୟୁର ଇଣ୍ଟରନ୍ୟାସ୍‍ନାଲ୍‍ ଷ୍ଟଡିଜ୍‍ ବିଭାଗ ମୁଖ୍ୟ ପ୍ରଫେସର ଅଜୟ କୁମାର ଦୁବେଙ୍କୁ ମଧ୍ୟ ପ୍ରଥମ ପିଆଇଓ ଏକ୍‍ସଲେନ୍‍ସ ସମ୍ମାନ ପ୍ରଦାନ କରାଯାଇଛି। ଦିବସ ବ୍ୟାପୀ କିଟ୍‍ ଓ କିସରେ ଆୟୋଜିତ ସମ୍ମିଳନୀରେ ଗୋପିଓର ସଦସ୍ୟ ଓ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରି ବିଶ୍ୱସ୍ତରରେ କିଭଳି ଓଡ଼ିଶା ତଥା ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଆଦିର ପ୍ରଚାର ପ୍ରସାର ଦିଗରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଓ ଭାରତୀୟଙ୍କ ମଧ୍ୟରେ କିଭଳି ସମନ୍ୱୟ, ସହଭାଗିତା, ସହଯୋଗିତା, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ କ୍ରିୟାଶୀଳ ସମ୍ପର୍କ ବଜାୟ ରହିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଗୋପିଓ ଇଣ୍ଟରନ୍ୟାସ୍‍ନାଲ୍‍ର ସଭାପତି ଡ. ପୋନ୍ନୁସାମି ମୁଥେୟା, ଉପସଭାପତି ବିନୟ ଦୁସୋୟେ ଓ ମହାସଚିବ ଏ ରବୀନ୍ଦ୍ରନ୍‍ ଅର୍ଜୁନନ୍‍ ପ୍ରମୁଖ ଯୋଗ ଦେଇ ଏହି ସମ୍ମିଳନୀ ଭାରତୀୟ ବଂଶୋଦ୍ଭବ ଓ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିବ ବୋଲି ମତ ପୋଷଣ କରିଥିଲେ । ଏହି ଅବସରରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଗୋପିଓ ଇଣ୍ଟରନ୍ୟାସ୍‍ନାଲ୍‍ ଚେୟାର ପ୍ରତିଷ୍ଠା ନେଇ ଗୋପିଓ ଇଣ୍ଟରନ୍ୟାସ୍‍ନାଲ୍‍ ଓ କିଟ୍‍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସଭାପତିତ୍ୱ କରିଥିଲେ ଓ ଉପକୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.