ମୁମ୍ବାଇ: ସିନେମା ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ହେଉଛନ୍ତି ଜାଭେଦ ଅଖତର। ନିକଟରେ ସେ ଆମେରିକା ଯାଇଥିବା ବେଳେ ତାଙ୍କୁ ପୁଅ ତଥା ଅଭିନେତା ଫରହାନ ଅଖତରଙ୍କ ବିଷୟରେ ପଚରା ଯାଇଥିଲା। ଯାହାକୁ ନେଇ ସେ କିଛି ରୋଚକ ତଥ୍ଯପ୍ରକାଶ କରିଥିଲେ। ତେବେ ସେ ଏହା ମଧ୍ୟ କହିଥିଲେ ଯେ ଫରହାନଙ୍କୁ ଭେଟିବା ପାଇଁ ତାଙ୍କୁ କିଛି ଦିନ ପୂର୍ବରୁ ଆପଏଣ୍ଟମେଣ୍ଟ ନେବାକୁ ପଡେ।
ଜାଭେଦ ଅଖତର ନିକଟରେ ଆମେରିକା ଯାଇଥିବା ବେଳେ ସ୍ଥାନୀୟ ଗଣମାଧ୍ୟମକୁ ଏକ ଇଣ୍ଟରଭିଉ ଦେଇଥିଲେ। ଏଥିରେ ଜାଭେଦ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ପ୍ରକାଶ କରିଥିଲେ। ଜାଭେଦ ନିଜ ପରିବାର ବିଷୟରେ କହିଥିଲେ ଯେ ମୋ ପରିବାର ବହୁତ ଛୋଟ। ମୋ ପରିବାରରେ କେବଳ ମୋ ପୁଅ, ଝିଅ,ମୁଁ ଏବଂ ମୋ ସ୍ତ୍ରୀ (ଶବାନା) ରୁହନ୍ତି । ଶବାନା ଏବଂ ମୁଁ ଏକାଠି ରହୁ। ମୋ ଝିଅ ଏବଂ ମୋ ପୁଅର ଅଲଗା ଅଲଗା ଘର ଅଛି।
ସାକ୍ଷାତକାରରେ ଜାଭେଦ ଆହୁରି ମଧ୍ୟ କହିଥିଲେ ଯେ ସେ ଯେତେବେଳେ ଆମେରିକାରେ ପହଞ୍ଚିଥିଲେ ତାଙ୍କୁ କେହି ଜଣେ ଫରହାନ ଅଖତର କାହିଁକି ଆସିନାହାନ୍ତି ବୋଲି ପଚାରିଥିଲେ।ତେବେ ଏହାର ଉତ୍ତର ରେ ସେ କହିଥିଲେ ଯେ ଫରହାନ ବେରୋଜଗାର ନୁହନ୍ତି କି ସେ ଘରେ ବସିନାହାନ୍ତି। ତାଙ୍କୁ ଭେଟିବା ପୂର୍ବରୁ ଫୋନ୍ କରି ଆପଏଣ୍ଟମେଣ୍ଟ ନେବାକୁ ପଡିଥାଏ ଏବଂ ମୁଁ ମଧ୍ଯ ଏହା କରିଥାଏ। ଆମେ ପରସ୍ପରକୁ ଫୋନ କରି କେବେ ଭେଟ ହେଇ ପାରିବ ପଚାରିଥାଉ। ସାଧାରଣତଃ ୩ରୁ ୫ ଦିନ ପରେ ହିଁ ଆପଏଣ୍ଟମେଣ୍ଟ ମିଳିଥାଏ। ଜୀବନ ଏହିପରି ଭାବେ କଟି ଚାଲିଥିବା କଥା ସେ ପ୍ରକାଶ କରିଛନ୍ତି।