ମୁମ୍ବାଇ: ନିତେଶ ତିୱାରୀଙ୍କ ଫିଲ୍ମ “ରାମାୟଣ” ରିଲିଜକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ୪ ହଜାର କୋଟି ଟଙ୍କାର ଫିଲ୍ମ ଦୁଇଟି ଭାଗରେ ରିଲିଜ୍ ହେବ।
“ରାମାୟଣ: ରାଇଜ୍ ଅଫ୍ ଏ ଲିଜେଣ୍ଡ” ସାରା ବିଶ୍ୱରେ ଇତିହାସ ରଚିବାକୁ ଯାଉଛି। କାରଣ ଏହା ଲସ୍ ଆଞ୍ଜେଲସ୍ରେ ବିଶ୍ୱ ପ୍ରିମିୟର ହେବାକୁ ଥିବା କିଛି ବଛା ବଛା ଭାରତୀୟ ଫିଲ୍ମ ମଧ୍ୟରୁ ଗୋଟିଏ ହେବ।
ଏହା ପ୍ରସିଦ୍ଧ ଏକାଡେମୀ ମ୍ୟୁଜିୟମ୍ ଅଫ୍ ମୋସନ୍ ପିକ୍ଚର୍ସର ଡେଭିଡ୍ ଗେଫେନ୍ ଥିଏଟରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ୯୪୫ ଜଣ ଅତିଥି ଯୋଗଦେବାର ଆଶା କରାଯାଉଛି। ଏହା ୨୦୨୬ର ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇଗଲାଣି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ହଲିଉଡ୍ରେ ଇତିହାସ ରଚିବାକୁ ଯାଉଛି। ଫିଲ୍ମର ପ୍ରଯୋଜକମାନେ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଯେ ୨୭ ଅକ୍ଟୋବର ସନ୍ଧ୍ୟାରେ ଲସ୍ ଆଞ୍ଜେଲସ୍ରେ ଏହାର ଏକ ପ୍ରିମିୟର ହେବ। ଲସ୍ ଆଞ୍ଜେଲସ୍ରେ ‘ରାମାୟଣ’ର ପ୍ରିମିୟର ଭାରତୀୟ ଫିଲ୍ମ ଶିଳ୍ପ ପାଇଁ ଗର୍ବର ବିଷୟ। ଏହା 3Dରେ ପ୍ରଦର୍ଶିତ ହେବ।
ଏହି ୪ ହଜାର କୋଟି ଟଙ୍କାର ଫିଲ୍ମଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ। ଗୋଟିଏ ଭାଗର ବଜେଟ୍ ୨ ହଜାର କୋଟି ଟଙ୍କା। ସିନେମାର ପ୍ରଥମ ଭାଗ ୫ ନଭେମ୍ବର ୨୦୨୬ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ଯେତେବେଳେ କି ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବ।
ଏହି ଫିଲ୍ମଟି ଭାରତରେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଭାଷାରେ ମୁକ୍ତିଲାଭ କରିବ। ଏହି ଫିଲ୍ମଟି IMAX ରେ ମଧ୍ୟ ପ୍ରଦର୍ଶିତ ହେବ। ସୋନି ପିକଚର୍ସ ଏହାକୁ ଭାରତ ବ୍ୟତୀତ ସାରା ବିଶ୍ୱରେ ଡିଷ୍ଟ୍ରିବ୍ୟୁଟ କରିବ। ସେହିପରି ଧର୍ମା ପ୍ରଡକ୍ସନ୍ ଏହାକୁ ହିନ୍ଦୀ ଭାଷାଭାଷୀ ମାର୍କେଟରେ ଡିଷ୍ଟ୍ରିବ୍ୟୁଟ କରିବ ବୋଲି ଜଣାପଡିଛି।

