ଭୁବନେଶ୍ବର: ଦେଶରେ ପ୍ରଥମେ ଜୟ ଯବାନ, ଜୟ କିଷାନ ସ୍ଲୋଗାନ୍ ଆରମ୍ଭ କରିଥିବା ଆମ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ହେଉଛି ପୁଣ୍ୟତିଥି। ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ଆକସ୍ମିକ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା। ଯାହା ଏବେ ବି ରହସ୍ୟମୟ। ସେ ମାତ୍ର ୧୮ ମାସ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ। ତାଙ୍କ ନେତୃତ୍ଵରେ ଭାରତ ୧୯୬୫ ଯୁଦ୍ଧରେ ପାକିସ୍ତାନକୁ କଡା ଜବାବ ଦେଇଥିଲା ଭାରତ। ସେ କଠିନ ସମୟରେ ଦେଶର ଭାର ଗ୍ରହଣ କରିଥିଲେ ଏବଂ ସାହସର ସହିତ ସମସ୍ତ ପରିସ୍ଥିତର ସାମ୍ନା କରିଥିଲେ।
ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ସରଳତା ପାଇଁ ପ୍ରସିଦ୍ଧ ଲାଲ ବାହାଦୂର ଶାସ୍ତ୍ରୀ, ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ମୃତ୍ୟୁ ପରେ ଜୁନ୍ ୯,୧୯୬୪ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ତାସକନ୍ଦରେ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନଙ୍କ ସହ ଯୁଦ୍ଧ ବନ୍ଦ କରିବାକୁ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ୧୧ ଜାନୁଆରୀ ୧୯୬୬ର ରାତିରେ ସେ ରହସ୍ୟମୟ ପରିସ୍ଥିତିରେ ଦେହତ୍ୟାଗ କରିଥିଲେ।
୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଉତ୍ତରପ୍ରଦେଶର ମୁଗଲସରାଇରେ ଲାଲ ବାହାଦୂରଙ୍କର ଜନ୍ମ। ମାତ୍ର ଦେଢ ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ଆଜି ତାଙ୍କର ପୁଣ୍ୟତିଥିରେ ତାଙ୍କର ଦେଶପ୍ରେମକୁ ମନେ ପକେଇବା । ସେ ଅଳ୍ପ ସମୟ ମଧ୍ୟରେ ଭାରତର ଶକ୍ତିକୁ ବିଶ୍ୱରେ ପରିଚିତ କରାଇଥିଲେ ।
୧୯୬୫ ମସିହାରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା, ଭାରତୀୟ ସେନା ଲାହୋରରେ ପହଞ୍ଚିଥିଲେ। ଏହି ସମୟରେ ଭାରତରେ ଶସ୍ୟର ଅଭାବ ଦେଖାଦେଇଥିଲା । ଗହମ ପାଇଁ ଭାରତ ଆମେରିକା ଉପରେ ନିର୍ଭରଶୀଳ ଥିଲା। କିନ୍ତୁ ସେହି ୧୯୬୫ ଯୁଦ୍ଧ ସମୟରେ ଆମେରିକା ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଧମକ ଦେଇଥିଲା। ଆମେରିକା ସେତେବେଳେ ପାକିସ୍ତାନର ଅଧିକ ଶୁଣୁଥିଲା। ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଯୁଦ୍ଧ ବନ୍ଦ କରିବାକୁ ଭାରତ ଉପରେ ଚାପ ପକଉଥିଲେ। ଯଦି ଭାରତ ଯୁଦ୍ଧ ବନ୍ଦ ନକରେ ତେବେ ଗହମ ଯୋଗାଣ ବନ୍ଦ କରିବ ବୋଲି ଆମେରିକା ଧମକ ଦେଇଥିଲା।
ଏହି ଧମକ କିନ୍ତୁ ପିଏମ ଶାସ୍ତ୍ରୀଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା । ଲାଲ ବାହାଦୂରଙ୍କ ପୁଅ ଅନିଲ ଶାସ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀ ଲଲିତା ଶାସ୍ତ୍ରୀଙ୍କୁ କହିଥିଲେ ଆଜି ସନ୍ଧ୍ୟାରେ ଘରେ ଖାଦ୍ୟ ରନ୍ଧା ହେବ ନାହିଁ। ଆସନ୍ତାକାଲି ମୁଁ ଦେଶବାସୀଙ୍କୁ ନିବେଦନ କରିବି ଯେ ଗୋଟିଏ ସମୟ ଭୋଜନ ଛାଡିଦିଅ । ମୋ ପିଲାମାନେ ଭୋକିଲା ରହିପାରିବେ କି ନାହିଁ ଦେଖିବାକୁ ଚାହୁଁଛି । ସେମାନେ ଗୋଟିଏ ସନ୍ଧ୍ୟାରେ ଭୋକରେ ରହିଲେ ଏବଂ ପରଦିନ ଭାରତବାସୀଙ୍କୁ ନିବେଦନ କଲେ ଯେ ଗୋଟିଏ ସମୟ ଭୋଜନ କରନ୍ତୁ ନାହିଁ, ପରବର୍ତ୍ତୀ ଅମଳ ହେବା ଯାଏଁ ଶସ୍ୟ ସଞ୍ଚୟ ହୋଇପାରିବ।
ଲାଲ ବାହାଦୂର ଶାସ୍ତ୍ରୀ ଦେଶବାସୀଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ଗୋଟିଏ ସମୟ ଭୋଜନ କରିବାକୁ ନିବେଦନ କରିଥିଲେ। ଆମକୁ ଭାରତର ଆତ୍ ସମ୍ମାନ ରକ୍ଷା କରିବାକୁ ପଡିବ। ଦେଶରେ ଯେଉଁ ଶସ୍ୟ ଅଛି, ସେଥିରେ ଆମେ କାମ ଚଳାଇବା । ଅନ୍ୟ କୌଣସି ଦେଶ ସାମ୍ନାରେ ହାତ ପତେଇବା ନାହିଁ । ଯଦି ଆମେ କୌଣସି ଦେଶରୁ ଖାଦ୍ୟଶସ୍ୟ ଗ୍ରହଣ କରୁ, ତେବେ ଏହା ଭାରତର ଆତ୍ମସମ୍ମାନ ଉପରେ ଆଘାତ ଲାଗିବ । ଏଥିପାଇଁ ଦେଶବାସୀ ଏକ ସପ୍ତାହ ପାଇଁ ଉପବାସ ପାଳନ କରିବା । ଏହା ଦ୍ବାରା ଆମେ ଏତେ ଶସ୍ୟ ସଞ୍ଚୟ କରିପାରିବା ଯେ ପରବର୍ତ୍ତୀ ଫସଲ ଆସିବା ପର୍ଯ୍ୟନ୍ତ ଆମକୁ ଆଉ ଶସ୍ୟର ଆବଶ୍ୟକତା ପଡିବ ନାହିଁ । ଶାସ୍ତ୍ରୀଙ୍କ ସହ ସମଗ୍ର ଭାରତ ଛିଡା ହୋଇଥିଲା। ଭାରତୀୟମାନେ ଏପରି ପରିସ୍ଥିତି ସୃଷ୍ଟି କରିବାକୁ ଦେଇନଥିଲେ ଯେ ଆମକୁ ଅନ୍ୟ ଦେଶରୁ ଖାଦ୍ୟ ଶସ୍ୟ କିଣିବା ଆବଶ୍ୟକ ପଡିବ ।
ଯୁଦ୍ଧରେ ଭାରତ ପାକିସ୍ତାନକୁ ଉପଯୁକ୍ତ ଉତ୍ତର ଦେଇଥିଲା ଏବଂ ଆଗାମୀ ବର୍ଷରେ ଖାଦ୍ୟକୁ ନେଇ ଆତ୍ମନିର୍ଭରଶୀଳ ହୋଇଥିଲା।