Latest Odisha News

BREAKING NEWS

୧୧ ବର୍ଷ ପରେ ମଧ୍ୟ ଅଧୁରା ରହିଲା ଓଡ଼ିଶାର କୋଷ୍ଟାଲ ହାଇୱେ ପ୍ରକଳ୍ପ: ବିଜେଡି

ଭୁବନେଶ୍ୱର: ଦୀର୍ଘ ୧୧ ବର୍ଷ ପରେ ଓଡ଼ିଶାର କୋଷ୍ଟାଲ ହାଇୱେ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିଥିବା ନେଇ ଘୋଷଣା ହୋଇଛି। କିନ୍ତୁ ଏଥିରେ ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇଥିବା କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ। ଏହି ସମୟରେ ଦଳର ମୁଖପାତ୍ର ଲେନିନ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା କହିଛନ୍ତି କୋଷ୍ଟାଲ ହାଇୱେ କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ ବରଂ ଓଡ଼ିଶାର ଭାଗ୍ୟ, ଭବିଷ୍ୟତ, ପର୍ଯ୍ୟଟନ, ଅର୍ଥନୀତି ଓ ଉପକୂଳ ଅଞ୍ଚଳର ସାମଗ୍ରିକ ବିକାଶ ସହ ଜଡିତ ଏକ ଐତିହାସିକ ପ୍ରକଳ୍ପ। ୨୦୧୫ ମସିହାରେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ପ୍ରାୟ ୪୫୦ କିଲୋମିଟର ଦୀର୍ଘ କୋଷ୍ଟାଲ ହାଇୱେ ନିର୍ମାଣ ପୁରୀ ଜିଲ୍ଲାର ପିପିଲି ଠାରେ ଘୋଷଣା କରିଥିଲେ । ଏହା ସହ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍ ଏବଂ ରାମେଶ୍ୱର-ଚନ୍ଦନପୁର ସଡ଼କକୁ ଜାତୀୟ ରାଜପଥର ମାନ୍ୟତା ଦେଇ ବିକଶିତ କରିବାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଦୀର୍ଘ ୧୧ ବର୍ଷ ପରେ ଏହି ପ୍ରକଳ୍ପ କେବଳ ରାମେଶ୍ୱରରୁ କୋଣାର୍କ ଏବଂ କୋଣାର୍କରୁ ପାରାଦୀପ ଦୁଇଟି ଅଂଶ ପାଇଁ କେନ୍ଦ୍ର କ୍ୟାବିନେଟ୍ ୧୮,୩୦୦ କୋଟି ଟଙ୍କାର ମଞ୍ଜୁରୀ ଦେଇଛି । ଏଥିରେ ପାରାଦୀପରୁ ଦୀଘା ପର୍ଯ୍ୟନ୍ତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଶାଳ ଉପକୂଳ ଅଞ୍ଚଳକୁ ଯୋଜନାରୁ ବାଦ୍ ଦିଆଯାଇଥିବା ପରିଲକ୍ଷିତ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଶାବାସୀଙ୍କୁ ନିରାଶ ଓ ବ୍ୟଥିତ କରିଛି । ପ୍ରକଳ୍ପ ଘୋଷଣା ହେବା ପରଠାରୁ ବାରମ୍ୱାର ଆଲାଇନମେଣ୍ଟ ପରିବର୍ତ୍ତନ, ତିନି ତିନି ଟେଣ୍ଡର ବାତିଲ୍ ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ଏହି ପ୍ରକଳ୍ପରେ ବାଧା ସୃଷ୍ଟି ହୋଇଛି । ଚିଲିକା ଓ ଭିତରକନିକା ଅଞ୍ଚଳର ପରିବେଶଗତ ଆପତ୍ତି ଯୋଗୁଁ ଏହି ପ୍ରକଳ୍ପ ବାରମ୍ୱାର ସମସ୍ୟାର ସମ୍ମୁଖୀନ ହୋଇଛି । ତଥାପି ଓଡ଼ିଶାବାସୀ ଆଶା କରୁଥିଲେ ଯେ, ମୂଳ ପରିକଳ୍ପନା ଅନୁଯାୟୀ ସମଗ୍ର ଉପକୂଳ ଅଞ୍ଚଳକୁ ସଂଯୋଗ କରୁଥିବା କୋଷ୍ଟାଲ ହାଇୱେ ନିର୍ମାଣ ହେବ।

କିନ୍ତୁ ଓଡ଼ିଶା ପ୍ରତି ଥିବା କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହି ପ୍ରକଳ୍ପର ଢାଞ୍ଚା ପରିବର୍ତ୍ତନ ହୋଇଛି। ସେ ଆହୁରି କହିଥିଲେ ଯେ, ୨୦୧୫ ମସିହାରେ ଘୋଷଣା କରାଯାଇଥିବା କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍ ଏବଂ ରାମେଶ୍ୱର-ଚନ୍ଦନପୁର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ କେନ୍ଦ୍ର ସରକାର ଓ ଏନଏଚଏଆଇ କାହିଁକି ନୀରବ ରହିଛନ୍ତି? ସେହିପରି ପାରାଦୀପରୁ ଦୀଘା ପର୍ଯ୍ୟନ୍ତ ଅବଶିଷ୍ଟ କୋଷ୍ଟାଲ ହାଇୱେ ଅଞ୍ଚଳର ଭବିଷ୍ୟତ ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟ ମତ ରଖନ୍ତୁ । ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେରେ ମୂଳ ଡିପିଆରକୁ ପୁନର୍ବାର ବିଚାର କରାଯାଇ ତାହାକୁ କାର୍ଯ୍ୟକାରୀ କରାଯାଉ ବୋଲି ବିଜୁ ଜନତା ଦଳ ଦାବି କରୁଛି । ଏହି ପ୍ରକଳ୍ପ ହେଲେ ଓଡ଼ିଶାର ପର୍ଯ୍ୟଟନ, ବାଣିଜ୍ୟ, ଶିଳ୍ପ ଏବଂ ଉପକୂଳ ଅଞ୍ଚଳର ସାମଗ୍ରିକ ବିକାଶକୁ ନୂଆ ଦିଗ ମିଳିପାରିବ ବୋଲି କୁହାଯାଉଛି।

 

Leave A Reply

Your email address will not be published.