ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଦ ଦୁର୍ନୀତିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସିଏଜି ରିପୋର୍ଟକୁ ଆଧାର କରି ବିଜେପି ଆପ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଛି।
ଭାଇରାଲ ସିଏଜି ରିପୋର୍ଟକୁ ଆଧାର କରି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଦିଲ୍ଲୀର କ୍ଷମତାସୀନ ଆପ୍ ସରକାରର ଅବକାରୀ ନୀତି ଯୋଗୁ ୨୦୨୬ କୋଟିର ରାଜସ୍ୱହାନୀ ଘଟିଛି। ଏପରିକି ଦିଲ୍ଲୀରେ ପାଠଶାଳା ବଦଳରେ ମଧୁଶାଳା ତିଆରି ହୋଇଥିଲା। ସେମାନେ ଝାଡୁରୁ ଦୁରେଇଯାଇ ମଦ ନୀତି ସହ ଆଗକୁ ବଢିଥିଲେ। ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରଙ୍କ ୧୦ ବର୍ଷର ଏହି ଯାତ୍ରା ଦୁର୍ନୀତିରେ ପରିପୂର୍ଣ୍ଣ। କାରଣ ଗୋଟିଏ ସରକାରର ୮ ଜଣ ମନ୍ତ୍ରୀ, ୧୫ ବିଧାୟକ ଓ ଜଣେ ସାଂସଦଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜେଲ ଯିବା ସତରେ ଅଦ୍ଭୂତ ଘଟଣା।
ସେହିପରି କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ କହିଛନ୍ତି, ‘ସିଏଜି ରିପୋର୍ଟ ଅନୁଯାୟୀ, ମଦ ନୀତିରେ ୨୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଅରବିନ୍ଦ କେଜ୍ରିୱାଲ ଭୁଲ କରିଛନ୍ତି। ସେମାନେ ସରକାରୀ ରାଜକୋଷକୁ ଖାଲି କରିଦେଇଛନ୍ତି।
ଅପରପକ୍ଷରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବିଜେପି ଦାବିର ଜବାବ ରଖିଛନ୍ତି। ଆପ ସାଂସଦ ପଚାରିଛନ୍ତି ଯେ ସିଏଜି ରିପୋର୍ଟ କେଉଁଠି? ଏସବୁ ଦାବି କେଉଁଠୁ ଆସୁଛି? ସିଏଜି ରିପୋର୍ଟ ବିଜେପି ମୁଖ୍ୟାଳୟରେ ଦାଖଲ କରାଯାଇଛି କି? ସେ ଆହୁରି କହିଛନ୍ତି ଯେ ବିଜେପି ନେତାମାନେ ମାନସିକ ସନ୍ତୁଳନ ହରାଇ ବସିଛନ୍ତି। କାରଣ ସିଏଜି ରିପୋର୍ଟ ଏପର୍ଯ୍ୟନ୍ତ ଉପସ୍ଥାପିତ ମଧ୍ଯ ହୋଇନାହିଁ। ତଥାପି ବିଜେପି ଲୋକମାନେ ଏପରି ଦାବି କରୁଛନ୍ତି।