ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଆପ୍ ଜାରି କଲା କ୍ରାଉଡଫଣ୍ଡିଂ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା କାଲକାଜୀ ସିଟରୁ ଲଢୁଥିବା ଆପ୍ ପ୍ରାର୍ଥୀ ଆତିଶୀ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢ଼ିବା ପାଇଁ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛନ୍ତି ।
ତେବେ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିବା ସମୟରେ ଆତିଶୀ କହିଛନ୍ତି, ସେ ଆଶା କରୁଛନ୍ତି ଯେ ଲୋକମାନେ ତାଙ୍କ ଦଳର ରାଜନୀତିକ କାର୍ଯ୍ୟକୁ ସମର୍ଥନ କରିବେ ଏବଂ ନିର୍ବାଚନ ଖର୍ଚ୍ଚ ପାଇଁ ଦଳକୁ ସହଯୋଗ କରିବେ । ଦଳର ନିର୍ବାଚନୀ ଖର୍ଚ୍ଚ ପାଇଁ ୪୦ ଲକ୍ଷ ଟଙ୍କାର ଲକ୍ଷ୍ୟ ପୂରଣ କରିବା ପାଇଁ ଉଦାର ଭାବରେ ଦାନ କରିବାକୁ ଜନତାଙ୍କୁ ଅପିଲ୍ କରିଛନ୍ତି ଆତିଶୀ । ଏଥିସହିତ ଲୋକମାନେ ଟଙ୍କା ଦାନ କରିବା ପାଇଁ ଏକ ଅନଲାଇନ୍ ଲିଙ୍କ୍ ମଧ୍ୟ ଜାରି କରିଛନ୍ତି ଆତିଶୀ ।
ଆତିଶୀ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀର ଜନତା ଆପକୁ ସମର୍ଥନ ଦେଇଆସିଛନ୍ତି ନିର୍ବାଚନ ଲଢ଼ିବା ପାଇଁ ଆମକୁ ପାଣ୍ଠି ବି ଯୋଗାଇଛନ୍ତି । ଜନତାଙ୍କ ଛୋଟରୁ ଛୋଟ ଦାନଟିଏ ବି ଆମକୁ ନିର୍ବାଚନ ଲଢ଼ିବା ଏବଂ ଜିତିବାରେ ସାହାଯ୍ୟ କରିଛି । ଦିଲ୍ଲୀର ସବୁଠାରୁ ଗରିବ ଲୋକମାନେ ଆମକୁ ୧୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ସମର୍ଥନ କରିଛନ୍ତି । କାରଣ ଆପର ସଚ୍ଚୋଟ ରାଜନୀତି ରହିଥିଲା । କୌଣସି କର୍ପୋରେଟମାନଙ୍କଠାରୁ ପାଣ୍ଠି ଲୋଡ଼ି ନଥିଲା ଆପ୍ । ଆଉ ସବୁଠୁ ବଡ କଥା ହେଉଛି, ଆପ୍ ଦିଲ୍ଲୀରେ ୧୦ ବର୍ଷ ଧରି କ୍ଷମତାରେ ରହିବା ସତ୍ତ୍ୱେ, ଆଜି ବମ ପାଖରେ ଦୁର୍ନୀତିର ଟଙ୍କାଟିଲ ବି ନାହିଁ । ଯାହା ପୂର୍ବରୁ ହୋଇଆସିଛି, ଦିଲ୍ଲୀ ଲୋକଙ୍କ ସମର୍ଥନରେ ହିଁ ଆପ୍ ନିର୍ବାଚନ ଲଢିବ ବୋଲି କହିଛନ୍ତି ଆତିଶୀ ।