Latest Odisha News

ଅପରାଧ ରୋକିବେ ସାଇବର୍‌ କମାଣ୍ଡୋ

କଟକ: ସାରା ରାଜ୍ୟରେ ବଢିବାରେ ଲାଗିଛି ସାଇବର ଅପରାଧ। ବିଭିନ୍ନ ଢାଞ୍ଚାରେ ସାଇବର ଲୁଟେରା ଲୁଟିବାରେ ଲାଗିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ  ଥାନାରେ ସାଇବର ଅପରାଧ ଅଭିଯୋଗ ବୃଦ୍ଧି ପାଉଛି। ତଦନ୍ତ ପ୍ରକ୍ରିୟାରେ ଉନ୍ନତି ପାଇଁ ଆଗାମୀ  ଦିନରେ ସାଇବର ଅପରାଧ ତଦନ୍ତରେ ରାଜ୍ୟ  ପୁଲିସ୍‌ ବାହିନୀରେ ସାଇବର କମାଣ୍ଡୋମାନେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି  ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି। ରାଜ୍ୟ ପୁଲିସ୍‌ ବାହିନୀ ପକ୍ଷରୁ ସାଇବର  କମାଣ୍ଡୋ ଚୟନ ପ୍ରକ୍ରିୟା କରାଯାଉଛି। ଜିଲ୍ଲା  ସ୍ତରରୁ ସୁପାରିସ ହୋଇଥିବା ବିଟେକ୍‌ ଡିଗ୍ରୀଧାରୀ ଏସ୍‌ଆଇଙ୍କଠାରୁ ଆରମ୍ଭ କରି ଏଏସ୍‌ଆଇ ଓ  କନ୍‌ଷ୍ଟେବଲ ପ୍ରମୁଖ ଭୁବନେଶ୍ୱରସ୍ଥିତ ଟ୍ରାଫିକ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଟିଟିଆଇ) ରେ ଶନିବାର ଏହି ପରୀକ୍ଷା ଦେଇଛନ୍ତି।

ସୂଚନା ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ଶହେ ଜଣ ପୁଲିସ୍‌ କର୍ମଚାରୀ ପରୀକ୍ଷା ଦେଇଛନ୍ତି। ଓଏମ୍‌ଆର୍‌ ଭିତ୍ତିକ୨୦୦ ନମ୍ବରର ପରୀକ୍ଷା ସାଇବର  ଅପରାଧ ସଂକ୍ରାନ୍ତ ପ୍ରଶ୍ନକୁ ନେଇ ଏହି ହୋଇଥିଲା। ପରୀକ୍ଷା ଦେଇଥିବା ପୁଲିସ୍‌ କର୍ମଚାରୀମାନଙ୍କ ରେଜଲ୍ଟ ଖୁବ ଶୀଘ୍ର ପ୍ରକାଶ  ପାଇବ । ଏହାପରେ ଯୋଗ୍ୟ ପୁଲିସ କର୍ମଚାରୀଙ୍କୁ ଜାତୀୟ  ସ୍ତରରେ ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋ-  ଅର୍ଡିନେସନ୍‌ ସେଣ୍ଟର ପକ୍ଷରୁ ସାଇବର ଅପରାଧ  ତଦନ୍ତରେ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଦିଆଯିବ।

ଆଇଆଇଟି ବିଶେଷଜ୍ଞ ସମେତ ସାଇବର ଜ୍ଞାନକୌଶଳ ସମ୍ପର୍କରେ ଜାତୀୟ ସ୍ତରରେ ଦକ୍ଷ ଅଧିକାରୀମାନଙ୍କଠାରୁ ସମ୍ପୃକ୍ତ ସାଇବର କମାଣ୍ଡୋମାନେ ତାଲିମ୍‌ ନେବା ପରେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ  କରିବେ। ସାଇବର ଅପରାଧୀଙ୍କୁ ଠାବ କରିବା ସହ ସେମାନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ  ଯୋଗାଡ଼ କରିବାରେ ଟ୍ରେନିଂ ପ୍ରାପ୍ତ ସାଇବର କମାଣ୍ଡୋମାନେ ପ୍ରମୁଖ ଭୂମିକା ନେବେ ବୋଲି ଜାଣିବାକୁ ମିଳିଛି।

ତେବେ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରୁ ସାଇବର କମାଣ୍ଡୋ ଭାବେ କାର୍ଯ୍ୟ କରିବା ପାଇଁ ଇଛୁକ  କର୍ମଚାରୀମାନଙ୍କ ନାଁ ସୁପାରିସ କରିବା  ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗତ ନଭେମ୍ବର ମାସରେ ଜିଲ୍ଲା ଏସ୍‌ପିମାନଙ୍କୁ ନିର୍ଦ୍ଦେଶ  ଦିଆଯାଇଥିଲା । ଏଥିଲାଗି ଏସ୍‌ପିମାନେ  ବିଟେକ୍‌ ଡିଗ୍ରୀ ଥିବା ପୁଲିସ୍‌ କର୍ମଚାରୀଙ୍କ ନାଁ  ଚୟନ କରି କ୍ରାଇମବ୍ରାଞ୍ଚକୁ ପଠାଇଥିଲେ।

ସୂଚନାଯୋଗ୍ୟ, ସାଇବର ଠକେଇ  ସଂକ୍ରାନ୍ତରେ ୨୦୨୩ରେ ରାଜ୍ୟରେ ବିଭିନ୍ନ  ଥାନାରେ ୧୮ ହଜାର ୯୯୪ ଅଭିଯୋଗ  ହୋଇଥିବା ବେଳେ ୨୦୨୪ରେ ୪୦ ହଜାର  ୨୭୦ ଅଭିଯୋଗ ହୋଇଥିଲା। ଏହି ଦୁଇ  ବର୍ଷରେ ହୋଇଥିବା ଅଭିଯୋଗରୁ ପୁଲିସ୍‌  ମାତ୍ର ୭୬୯ଟି ମାମଲା ରୁଜୁ କରିଥିଲା।

Leave A Reply

Your email address will not be published.