କାଲିଫର୍ନିଆ: କାଲିଫର୍ନିଆ ଏବଂ ଲସ୍ ଆଞ୍ଜେଲସ୍ ଜଙ୍ଗଲରେ ଲାଗିଥିବା ନିଆଁ ଅଧିକ ଭୟଙ୍କର ହେବାରେ ଲାଗିଛି। ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୨୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କିନ୍ତୁ ଜୋ ବାଇଡେନ୍ ପ୍ରଶାସନର ବହୁ ଉଦ୍ୟମ ସତ୍ତ୍ୱେ ମଧ୍ଯ ନିଆଁକୁ ଆୟତ୍ତ କରାଯାଇପାରୁନାହିଁ।
ତେବେ ଏହି ସମୟରେ ଆମେରିକାରେ ପ୍ରବଳ ପବନ ବହୁଥିବାରୁ ସମସ୍ୟା ବଢିବାରେ ଲାଗିଛି। ଅପରପକ୍ଷରେ ନିଆଁ ଲିଭାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କାଲିଫର୍ନିଆ ଏବଂ ଲସ୍ ଆଞ୍ଜେଲସର ଜେଲ୍ ବିଭାଗ ଏକ ଅଦ୍ଭୁତ ଅଫର ରଖିଛି। ଯେଉଁଥିରେ ନିଆଁ ଲିଭାଇବାରେ ଅଗ୍ନିଶମ ବାହିନୀକୁ ଯେଉଁ କଏଦୀ ମାନେ ସାହାଯ୍ୟ କରିବେ ସେମାନଙ୍କ ଦଣ୍ଡ ହ୍ରାସ ସହ ଦରମା ମଧ୍ଯ ଦିଆଯିବ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଲସ୍ ଆଞ୍ଜେଲସରେ କଏଦୀମାନଙ୍କୁ ଅଗ୍ନିଶମ ବିଭାଗ ସହ ମିଶି ଏକ କଣ୍ଟେନମେଣ୍ଟ ଲାଇନ୍ ଖୋଳୁଥିବାର ଦେଖାଯାଇଛି। ଅନ୍ୟପକ୍ଷରେ କାଲିଫର୍ନିଆରେ ବର୍ତ୍ତମାନ ମୋଟ ୯୩୧ ଜଣ କଏଦୀ ୨୪ ଘଣ୍ଟା ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣାପଡିଛି। କାଲିଫର୍ନିଆର ଏହି ଭୟଙ୍କର ଅଗ୍ନିକାଣ୍ଡକୁ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଇଲେକ୍ଟ୍ରିକ ଲାଇନଗୁଡ଼ିକୁ କାଟି ଦିଆଯାଉଛି।
ସେହିପରି କଏଦୀ ମାନଙ୍କୁ ନିଜ ନିଜ କ୍ଷମତା ହିସାବରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ପ୍ରତିଦିନ ୫.୮୦ ଡଲାରରୁ ୧୦.୨୪ ଡଲାର ଯାଏଁ ଦିଆଯାଉଛି। ଜରୁରୀକାଳୀନ ପରିସ୍ଥିତିରେ ନିଯୁକ୍ତି ହେଲେ ସେମାନେ ଘଣ୍ଟା ପ୍ରତି ଅତିରିକ୍ତ ୧ ଡଲାର ମଧ୍ଯ ରୋଜଗାର କରିପାରିବେ। ଆହୁରି ମଧ୍ଯ ଯଦି ଜଣେ କଏଦୀ ଜରୁରୀକାଳୀନ ସେବାରେ ପ୍ରତିଦିନ କାମ କରନ୍ତି ତେବେ ତାଙ୍କର ଦଣ୍ଡରୁ ଦୁଇ ଦିନ ଛାଡ଼ି ଦିଆଯିବ। ଏହା ବ୍ୟତୀତ ଯେଉଁମାନେ ସହାୟକ କର୍ମୀ ଭାବେ ଯୋଗଦେବେ ସେମାନଙ୍କୁ ୧ କ୍ରେଡିଟ୍ ପାଇଁ ୧ ମିଳିବ ଅର୍ଥାତ ଗୋଟିଏ ଦିନ କାମ କରିବା ପାଇଁ କେବଳ ଗୋଟିଏ ଦିନର ଦଣ୍ଡ ଛାଡ କରାଯିବ।