ଭୁବନେଶ୍ବର: ରସୁଲଗଡ଼ ବ୍ରିଜ୍ ଉପରେ ପୋଲିସ ମିତ୍ର ସହଦେବ ନାୟକଙ୍କ ହତ୍ୟା ମାମଲାରେ ସଂଗୃହୀତ ରକ୍ତର ହେବ ଡିଏନଏ ଟେଷ୍ଟ । ଏନେଇ ଘଟଣାସ୍ଥଳର ରକ୍ତ ସହ ଅଭିଯୁକ୍ତ ପିନ୍ଧିଥିବା ଡ୍ରେସ୍, ବାଇକ୍ ରେ ଲାଗିଥିବା ରକ୍ତ ନମୁନାକୁ ରାଜ୍ୟ ଫରେନସିକକୁ ପଠାଯାଇଛି ।
ସୂଚନାଯୋଗ୍ୟ, ପୋଲିସ ମିତ୍ର ତଥା ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକଙ୍କୁ ବ୍ରାଉନ୍ସୁଗାର ବ୍ୟବସାୟକୁ କେନ୍ଦ୍ର କରି ଗତ ୮ ତାରିଖରେ ରସୁଲଗଡ଼ ରାସ୍ତାର ଓଭରବ୍ରିଜ୍ରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।
ହତ୍ୟା ପରେ ଅଭିଯୁକ୍ତ ମାନେ ମାରଣାସ୍ତ୍ରକୁ ଏକ ବ୍ୟାଗ ଭିତରେ ପୂରାଇ ଦୟାନଦୀରେ ଫୋପାଡି ଦେଇଥିଲେ । ହତ୍ୟାକାଣ୍ଡର ଦଶ ଘଣ୍ଟା ମଧ୍ୟରେ ସହଦେବଙ୍କ ତିନି ଜଣ ହତ୍ୟାକାରୀଙ୍କୁ ନୟାଗଡର ଶରଣକୂଳରୁ ଗିରଫ କରିବାରେ ସଫଳ ହୋଇଥିଲା କମିଶନରେଟ୍ ପୋଲିସ । ଏହାପରେ ଗୁରୁବାର ଅର୍ଥାତ୍ ହତ୍ୟାକାଣ୍ଡର ପରଦିନ ଆଉ ଦୁଇ ଜଣଙ୍କୁ ମୋଟ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।