Latest Odisha News

BREAKING NEWS

‘ଆନନ୍ଦପୁରକୁ ରେଳ ଲାଇନ ସହ ଯୋଡିଲେ ଶିଳ୍ପ ସହ ପର୍ଯ୍ୟଟନର ମଧ୍ୟ ବିକାଶ ହେବ’

କେନ୍ଦୁଝର: ଲୋକସଭାରେ ଆନନ୍ଦପୁର ସବଡିଭିଜନରେ ରେଳ ସଂଯୋଗୀକରଣ ନ ଥିବା ପ୍ରସଙ୍ଗ ଉଠାଇଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ । ଜନଜାତିବର୍ଗର ଜନସଂଖ୍ୟା ବହୁଳ ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରକୁ ରେଳ ଲାଇନ ସହ ଯୋଡିବାକୁ ଦାବି କରିଛନ୍ତି ବିଧାୟକ । ଏହି ସଂଯୋଗୀକରଣ ହେଲେ ଏହି ଅଞ୍ଚଳରେ ଶିଳ୍ପର ବିକାଶ ହେବ ଯାହା ଦ୍ବାରା ବେକାରୀ ସମସ୍ୟା ଦୂର ହେବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାରେ ଲୌହ, ମାଙ୍ଗାନିଜ ଓ କ୍ରୋମାଇଟ ଖଣିଜ ସମ୍ପଦ ଥିବା ରାଜ୍ୟ ଓ ଦେଶର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସତ୍ୱେ ଆନନ୍ଦପୁର ଅଞ୍ଚଳରେ ଶିଳ୍ପ ସ୍ଥାପିତ ହୋଇ ପାରୁ ନାହିଁ । ନିୟମ ୩୭୭ ଅନୁସାରେ ଏହି ପ୍ରସଙ୍ଗ ଉଠାଇ ହରିଚନ୍ଦନପୁରରୁ ଧାମରା ଯାଏ ରେଳବାଇ ଟ୍ରାକର ନିର୍ମାଣ କରାଯିବାକୁ ପ୍ରସ୍ତାବ ଦେଇଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ, ଏହି ଅଞ୍ଚଳରେ ଘଟଗାଁର ମାଆ ତାରିଣୀ ମନ୍ଦିର, ଗୁଣ୍ଡିଚାଘାଘି ଜଳ ପ୍ରପାତ, ଚକ୍ରତୀର୍ଥ ଗୁମ୍ଫା ଓ ଗଡଚଣ୍ଡୀ ମନ୍ଦିର ଦରଗୁଡିଶିଳା ପିକନିକ ସ୍ଥଳ, ହଦଗଡ ଇକୋ ଟୁରିଜମ କେନ୍ଦ୍ର ଭଳି ପ୍ରମୁଖ ଆକର୍ଷଣର କେନ୍ଦ୍ର ରହିଛି । ହେଲେ ପରିବହନ ବ୍ୟବସ୍ଥାର ଅଭାବ ହେତୁ ପର୍ଯ୍ୟଟକମାନେ ଏହି ସ୍ଥାନ ଗୁଡିକୁ ପହଞ୍ଚି ପାରୁ ନାହାନ୍ତି । ତେଣୁ ରେଳବାଇ ସଂଯୋଗୀକରଣ ହେଲେ ପରିବହନ ସୁବିଧା ହେବା ସହ ଏହି ପର୍ଯ୍ୟଟନ ସ୍ଥଳ ଗୁଡିକର ବିକାଶ ହେବ । ଆଉ ଅଧିକରୁ ଅଧିକ ପର୍ଯ୍ୟଟକମାନେ ଆସିଲେ ଏହି ଅଞ୍ଚଳର ଆର୍ଥିକ ବିକାଶ ହେବ ବୋଲି ସେ କହିଛନ୍ତି ।

Comments are closed.