ଭୁବନେଶ୍ୱର: ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ଗଞ୍ଜେଇ ମୂଳୋତ୍ପାଟନ ନିର୍ଦ୍ଦେଶ । ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି ଖୁରାନିଆ । ଏବେ ସୁଦ୍ଧା ୫୯୧ଟି ମାମଲା ସହ ୨୫ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ୨୧୩ ମାମଲା ପଞ୍ଜୀକୃତ ହୋଇଛି। ଗଞ୍ଜେଇ ଚାଷ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି ରାଜ୍ୟ ପୋଲିସ। ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଭୁବନେଶ୍ବରଠାରେ ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏକ ସମୀକ୍ଷା ବୈଠକରେ ଡିଜିପି ଶ୍ରୀ ଖୁରାନିଆ ଗଞ୍ଜେଇ ମାଫିଆମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ଵତନ୍ତ୍ର ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ସୀମା ମଧ୍ୟରେ ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଏହି ଅଭିଯାନ ଗତବର୍ଷ ନଭେମ୍ବର ୦୧ ତାରିଖରୁ ଆରମ୍ଭ ହୋଇଥିଲାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ୫୯୧ଟି ମାମଲା ରୁଜୁ କରାଯାଇ ପ୍ରାୟ ୨୫ ହଜାର ଏକରରୁ ଊର୍ଦ୍ଧ୍ଵ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଚଳିତ ବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ୨୧୩ ଟି ମାମଲା ରୁଜୁ ହୋଇଥିବାବେଳେ ୮୨୬୯ ଏକରରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି।
ଉଲ୍ଲେଖଯୋଗ୍ୟ , ୨୦୨୪ ମସିହାରେ ୩୫୦ଟି ମାମଲା ରୁଜୁ ହୋଇ ୧୫ ହଜାର ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଥିଲା। ସେହିପରି ୨୦୨୩ ମସିହାରେ ୪୨୮ଟି ମାମଲା ସହ ୧୦ ହଜାର ୫୪୧ ଏକର, ୨୦୨୨ ମସିହାରେ ୫୭୦ଟି ମାମଲା ସହିତ ୨୪ ହଜାର ୩୯୫ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା।
ରାଜ୍ୟର ୮ ଟି ଜିଲ୍ଲା ରାୟଗଡା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁରରେ ଗଞ୍ଜେଇ ଚାଷ ବିରୁଦ୍ଧରେ ସ୍ପେଶାଲ ଡ୍ରାଇଭ ଚାଲିଛି। ଏହି ଜିଲ୍ଳା ମାନଙ୍କରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ବେଳେ, ଏହାର ମୂଳୋଉତ୍ପାଟନ ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି। ଡ୍ରୋନ ଏବଂ ସାଟେଲାଇଟ ସାହାଯ୍ୟରେ ଏକର ଏକର ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରାଯିବା ପରେ ଏହାକୁ ନଷ୍ଟ କରାଯାଉଛି। ଆଜିର ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ(କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଆଇଜିପି(ଅପରେସନ) ଜୟନାରାୟଣ ପଙ୍କଜ, ଡିଆଇଜି(ଅପରେସନ) ଅଖିଳେଶ୍ବର ସିଂ, ଡିଆଇଜି(ଏସଆଇଡବ୍ଲୁ) କନୱର ବିଶାଲ ସିଂଙ୍କ ସମେତ ବିଭିନ୍ନ ରେଞ୍ଜର ଆଇଜି, ଡିଆଇଜି ଏବଂ ଜିଲ୍ଲା ଏସପି ମାନେ ଉପସ୍ଥିତ ଥିଲେ।
Comments are closed.