Latest Odisha News

BREAKING NEWS

ବିଦ୍ୟୁତ ତାରିଫ୍ ଲାଗି ଓଇଆରସି ଶୁଣାଣି

ଭୁବନେଶ୍ବର : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ହେବ ବିଦ୍ୟୁତ ତାରିଫ୍। ଖୁଚୁରା ବିଦ୍ୟୁତ୍ ମୂଲ୍ୟ ନିରୂପଣ ନିମନ୍ତେ ଓଇଆରସିରେ ଜନଶୁଣାଣି ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆୟୋଗ ପୂର୍ବାହ୍ଣରେ ଓଏଚ୍‌ପିସି ଓ ଅପରାହ୍ଣରେ ଓପିଜିସି ପ୍ରସ୍ତାବ ଉପରେ ଶୁଣାଣି କରିଥିଲେ। ଅଧ୍ୟକ୍ଷ ପଦ ଖାଲିଥିବାରୁ କେବଳ ଦୁଇଜଣ ସଭ୍ୟଙ୍କୁ ନେଇ ଗଠିତ ବେଞ୍ଚ ଶୁଣାଣି ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସେହିପରି ପୂର୍ବାହ୍ଣରେ ଓଏଚ୍‌ପିସିର ଅର୍ଥ ନିର୍ଦେଶକ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଆସନ୍ତା ଆର୍ଥିକ ବର୍ଷ ପାଇଁ ରାଜସ୍ବ ଆବଶ୍ୟକତା ପରିମାଣ ଚଳିତବର୍ଷ ତୁଳନାରେ ୧୪୬.୩୧ କୋଟି ଟଙ୍କା ବୃଦ୍ଧି କରି ସମୁଦାୟ ୬୭୧.୧୨ କୋଟି ଟଙ୍କା ଦର୍ଶାଇଥିଲେ। ଏହାକୁ ଭରଣା କରିବା ପାଇଁ ହାରାହାରି ଉତ୍ପାଦନ ମୂଲ୍ୟରେ ୟୁନିଟ୍‌ ପିଛା ୨୬ ପଇସା ବୃଦ୍ଧି ନିମନ୍ତେ ପ୍ରସ୍ତାବ ରଖିଥିଲେ।

ସେହିପରି ଗ୍ରିଡକୋଠାରୁ ବାର୍ଷିକ ପ୍ରାପ୍ୟ ଚଳିତବର୍ଷ ପାଇଁ ୧୧ କୋଟି ଟଙ୍କା ଅନୁମୋଦନ ଥିବାବେଳେ ଏହାକୁ ୯୧ କୋଟି ଟଙ୍କାକୁ ବୃଦ୍ଧି ନିମନ୍ତେ ପ୍ରସ୍ତାବ ରଖିଥିଲେ। ଓଏଚ୍‌ପିସିର ୨୬ ପଇସା ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘର ରମେଶ ଶତପଥୀ ପ୍ରବଳ ବିରୋଧ କରି ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ପାଇଁ ପ୍ରସ୍ତାବ ରଖିଥିଲେ।

ଆୟୋଗଙ୍କ ଦ୍ବାରା ନିଯୁକ୍ତ ତାରିଫ୍ ସମୀକ୍ଷକ ୱାଇଜ୍ ଓଏଚ୍‌ପିସି ଆବେଦନ ଉପରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘ ପ୍ରବଳ ବିରୋଧ କରି ଓପିଜିସିର ଅପାରଗତା ଉପରେ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରିଥିଲା। ଶକ୍ତି ବିଭାଗ ଅଧିକାରୀ ସୋନାଲି ପଟ୍ଟନାୟକ ଶୁଣାଣି ସରିବା ପରେ କନସୋଲିଡେଟେଡ଼ ରିପୋର୍ଟ ଦାଖଲ କରିବେ ବୋଲି ଆୟୋଗଙ୍କୁ ଅବଗତ କରିଥିଲେ। ଆୟୋଗ ସବୁ ପକ୍ଷଙ୍କ ଯୁକ୍ତି ଶୁଣି ଆଦେଶ ସଂରକ୍ଷିତ ରଖିଛନ୍ତି।

Comments are closed.