ନୂଆଦିଲ୍ଲୀ: ଆମେରିକାର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ହେଉଥିବା ବେଳେ ଆଉ କେତେକ ସ୍ଥାନରେ ପ୍ରବଳ ବର୍ଷା ଲୋକଙ୍କ ସମସ୍ୟା ବଢାଇଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଜଳସ୍ତର ବଢିଯାଇଛି । ରାସ୍ତାଘାଟରେ ପାଣି ଭରିଯାଇଛି । ପାଣି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଆମେରିକାର ୬ ରାଜ୍ୟ ଯଥା କେଣ୍ଟୁକି, ଭର୍ଜିନିଆ, ପଶ୍ଚିମ ଭର୍ଜିନିଆ, ଟେନେସି ଓ ଇଣ୍ଡିଆନାରେ ହୋଇଥିବା ଭୟଙ୍କର ବନ୍ୟାରେ ଏଯାବତ୍ ୧୫ ଜଣଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ବନ୍ୟାରେ କେଣ୍ଟୁକି ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମ ଭର୍ଜିନିଆ ଓ ଜର୍ଜିଆରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ସେପଟେ ଆମେରିକାର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରବଳ ଥଣ୍ଡା କାରଣରୁ ପ୍ରାୟ ୯ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ତାପମାତ୍ରା ରେକର୍ଡ ସ୍ତରକୁ ଖସିଆସିଛି । ୧୪ ହଜାରରୁ ଅଧିକ ଘରକୁ ବିଜୁଳି ଯୋଗାଣ ଠପ୍ ହୋଇପଡ଼ିଛି । ସେହିପରି ୧୭ ହଜାର ଘରକୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି ।
ପାଣିପାଗ ବିଭାଗର କହିବା ଅନୁସାରେ, ମଧ୍ୟ ଆମେରିକାରେ ବର୍ତ୍ତମାନ ତାପମାତ୍ରା ସର୍ବନିମ୍ନ ତଳକୁ ଖସିଯାଇଛି । ମଧ୍ୟ-ପଶ୍ଚିମର କେତେକ ଅଞ୍ଚଳରେ ତାପମାତ୍ରା ମାଇନସ୍ ୫୦ରୁ ୬୦ ଡିଗ୍ରୀକୁ ହ୍ରାସ ପାଇଛି । ଫଳରେ ସାଧାରଣ ଜୀବନଯାତ୍ରା ଅତି ମାତ୍ରାରେ ପ୍ରଭାବିତ ହୋଇଛି । ପ୍ରବଳ ଥଣ୍ଡା ମଧ୍ୟରେ ବନ୍ୟା ସ୍ଥିତି ଲୋକଙ୍କ ଜୀବନ ଦୁର୍ବିଷହ କରି ପକାଇଛି ।
Comments are closed.