Latest Odisha News

BREAKING NEWS

ହଷ୍ଟେଲ ନା ଭୂତ କୋଠୀ, ରାସ୍ତା ନାହିଁ କି ନାହିଁ ସିକ୍ୟୁରିଟି ରୁମ୍

ନୂଆପଡା: ଦୁଇ ବର୍ଷ ହେଲା ଅକାମି ହୋଇ ପଡିଛି ଛାତ୍ର ଛାତ୍ରୀ ନିବାସ l କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଦୁଇ ଗୋଟି କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ଉଭୟ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ କାର୍ଯ୍ୟକାରୀ ହୋଇ ପାରୁ ନାହିଁ ସରକାରୀ ହଷ୍ଟେଲ । ଅପରପକ୍ଷରେ ହଷ୍ଟେଲ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ନୂଆପଡା ଜିଲ୍ଲା ଖଡ଼ିଆଳ ସରକାରୀ ମୋଡେଲ ଡିଗ୍ରୀ କଲେଜରୁ ସାମ୍ନାକୁ ଆସିଛି ହଷ୍ଟେଲ୍ ଅବ୍ୟବସ୍ଥାର ଏହି ଚିତ୍ର l

ଉପାନ୍ତ ଇଲାକରେ ଶିକ୍ଷାର ବିକାଶ ଏବଂ ଛାତ୍ରୀ ଛାତ୍ରୀମାନେ କିପରି ସ୍ନାତକ ପଢିବା ସୁଯୋଗ ପାଇବେ ସେଥିପାଇଁ ବିଭିନ୍ନ ବିଭାଗରେ ସରକାରୀ ମୋଡେଲ ଡିଗ୍ରୀ କଲେଜ ହେଲା l ଏଠାରେ ରହି ଛାତ୍ର ଛାତ୍ରୀ ସହଜରେ ପାଠ ପଢ଼ି ପାରିବେ ସେନେଇ ୬୦ ଶଯ୍ୟା ବିଶିଷ୍ଟ ଛାତ୍ର ଏବଂ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ମଧ୍ୟ ନିର୍ମାଣ ହେଲା l ହେଲେ ହଷ୍ଟେଲ କୁ ଯିବାକୁ ରାସ୍ତା ନାହିଁ କି ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯେପରିକି ପାନୀୟ ଜଳ, ବିଦ୍ୟୁତ, ସିକ୍ୟୁରିଟି ରୁମ ମଧ୍ୟ ନାହିଁ । ତେଣୁ ସେଠାରେ ଛାତ୍ର ଛାତ୍ରୀ ରହିବା ସମ୍ଭବ ହେଉ ନାହିଁ l କିଏ ଦୂର ଅଞ୍ଚଳରୁ କଲେଜକୁ ଆସୁଛନ୍ତି ତ କିଏ ପୁଣି ଭଡ଼ା ଘରେ ରହି କଲେଜକୁ ଆସି ଖର୍ଚ୍ଚାନ୍ତ ହେଉଛି । ବାରମ୍ବାର ହଷ୍ଟେଲ ସୁବ୍ୟବସ୍ଥିତ କରି ଆରମ୍ଭ କରିବା ପାଇଁ ଦାବୀ ହେଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହେଉଛି l

ଖଡ଼ିଆଳ ପୂର୍ତ୍ତ ବିଭାଗ ତରଫରୁ ଏହି ଦୁଇଟି ହଷ୍ଟେଲ କାମ ୨୦୧୭ ମସିହାରେ ଆରମ୍ଭ ହୋଇ ୨୦୨୩ ଜୁଲାଇରେ କଲେଜକୁ ହସ୍ତାନ୍ତର ହୋଇଥିଲା l  ୪୦ ଶଯ୍ୟା ବିଶିଷ୍ଟ ଏହି ଛାତ୍ରୀ ନିବାସ ପାଇଁ ୧ କୋଟି ୪୨ ଲକ୍ଷ ୫୧ ହଜାର ୫୫୭ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୬୦ ଶଯ୍ୟା ବିଶିଷ୍ଟ ଏହି ଛାତ୍ର ନିବାସ ପାଇଁ ଖର୍ଚ୍ଚ ହୋଇଥିଲା ୧ କୋଟି ୫୯ ଲକ୍ଷ ୮ ହଜାର ୮୫୬ ଟଙ୍କା । ୧୪୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପଢୁଥିବା ଏହି ଖଡ଼ିଆଳ ସରକାରୀ ମୋଡେଲ ଡିଗ୍ରୀ କଲେଜର ହଷ୍ଟେଲ ଆଜିକୁ ୨ ବର୍ଷ ହେଲା କାମରେ ଆସୁନ ଥିବା ବେଲେ ଜରା ଜୀର୍ଣ୍ଣ ହୋଇ ପଡିଛି l ସେପଟେ ହଷ୍ଟେଲରୁ ଧୀରେ ଧୀରେ ଅନେକ ଜିନିଷପତ୍ର ଚୋରି ହେଉଥିବା କଲେଜ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି l

Comments are closed.