ଭୁବନେଶ୍ବର: ଏମ କେ.ଆର୍ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ଓଡ଼ିଆ ଫିଲ୍ମ ‘ଶିମଲୀ’ ଆସନ୍ତା ମାର୍ଚ୍ଚ ୧୪ରେ ମୁକ୍ତିଲାଭ କରିବାକୁ ଥିବାବେଳେ, ଆଜି ଏହାର ଟ୍ରେଲର ଓ ଅଡିଓ ରିଲିଜ ହୋଇଛି । ଫିଲ୍ମର ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ଲିପିକା ସେନାପତି, ମନୋଜ ରାଉତ, ଅନୁପ ଶାହା ଓ ଚୌଧୁରୀ ବିକାଶ ଦାସ ପ୍ରମୁଖ ।
ଏହି ଓଡ଼ିଆ ଫିଲ୍ମର ପ୍ରଯୋଜିକା ହେଲେ ସ୍ମିତା ରାଉତ । ଏହାର ସହ-ନିର୍ମାତା ହେଲେ ପରେଶ ଚନ୍ଦ୍ର ମହାନ୍ତ । ଓଲିଉଡ୍ର ଜଣାଶୁଣା ଏଡିଟର୍ ସୁକୁମାର ମଣି ‘ଶିମଲୀ’ ଜରିଆରେ ନିର୍ଦ୍ଦେଶକ ଭାବେ ପଦାର୍ପଣ କରିଛନ୍ତି । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଉପରେ ଫିଲ୍ମ ‘ଶିମଲୀ’ ନିର୍ମାଣ ହୋଇଛି । ହାତୀଦାନ୍ତ ଓ ବାଘଛାଲ ଚୋରାଚାଲାଣ, ବନରକ୍ଷୀଙ୍କୁ ଆକ୍ରମଣ ଭଳି ଅପରାଧର କାହାଣୀ ରହିଛି ‘ଶିମଲୀ’ରେ ।
ଏହା ସହ କିଭଳି ଭାବେ ଠିକାଦାର ଓ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ କାଠ ଓ ବିଭିନ୍ନ ପ୍ରାଣୀ ଛାଲ ଚୋରା ଚାଲାଣ ହେଉଛି ତାର କେତେକ ଅକୁହା କାହାଣୀ ଫିଲ୍ମ ମାଧ୍ୟମରେ ଦେଖିବାକୁ ମିଳିବ ।
ସ୍ମିତା ରାଉତଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଭାବବିନୋଦ ମହାପାତ୍ର । ଏହାର ସିନେମାଟୋଗ୍ରାଫର୍ ହେଉଛନ୍ତି ଧ୍ରୁବାନନ୍ଦ ପଣ୍ଡା । ବାଚୁ ମୁଖାର୍ଜୀ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅରୁଣ ମନ୍ତ୍ରୀ, ଡକ୍ଟର ନିର୍ମଳ ନାୟକ ଓ ଭାବବିନୋଦ ମହାପାତ୍ର ଏହାର ଗୀତିକାର । ଏଥିରେ ଚାରିଟି ଗୀତ ରହିଛି ।
Comments are closed.