ନୂଆଦିଲ୍ଲୀ: ଆମେରିକାର ସରକାରୀ ଭାଷା ହୋଇଛି ଇଂରାଜୀ । ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି । ପୂର୍ବରୁ ମଧ୍ୟ ଇଂରାଜୀକୁ ଆମେରିକାର ସରକାରୀ ଭାଷା କରିବା ନେଇ ପ୍ରସ୍ତାବ ଆସିଥିଲା । ତେବେ ବିରୋଧ ଯୋଗୁଁ କାର୍ଯ୍ୟକାରୀ ହୋଇ ପାରିନଥିଲା । ଇଂରାଜୀ ଆମେରିକାର ସରକାରୀ ଭାଷା ହେବା ଦ୍ବାରା ଯୋଗାଯୋଗ ସହଜ ହେବା ସହ ବହୁଭାଷୀ ସମାଜରେ ଏହା ଏକତା ଆଣିବ ବୋଲି ଟ୍ରମ୍ପ କହିଛନ୍ତି । ଲୋକ ପରସ୍ପରର ନିକଟତର ହେବା ସହ ଦେଶର ଆର୍ଥିକ ଅଭିବୃଦ୍ଧି ବି ହେବ । ଟ୍ରମ୍ପଙ୍କ ଘୋଷଣା ଦେଶର ଇଂଲିଶ ଅନଲି ମୁଭମେଣ୍ଟରେ ବଡ ମାଇଲଷ୍ଟୋନ ବୋଲି କୁହାଯାଉଛି ।
ଦିନେ ଜର୍ମାନୀ ଭାଷା ପାଇଁ ହୋଇଥିଲା ଭୋଟିଂ
ପୂର୍ବରୁ ଜର୍ମାନୀକୁ ଆମେରିକାର ସରକାରୀ ଭାଷା ମାନ୍ୟତା ଦେବା ପାଇଁ ଉଦ୍ୟମ ହୋଇଥିଲା । ସେତେବେଳେ ଦେଶରେ ଜର୍ମାନୀ ଭାଷାଭାଷୀଙ୍କ ସଂଖ୍ୟା ଅଧିକ ଥିଲା । ଅନେକ ସହରରେ ଜର୍ମାନୀ ଖବରକାଗଜ, ସ୍କୁଲ ଓ ଚର୍ଚ୍ଚ ରହିଥିଲା । ଏପରିକି ୧୭୯୫ ମସିହାରେ ସରକାରୀ କାଗଜପତ୍ରରେ ଜର୍ମାନୀ ଭାଷା ବ୍ୟବହାର ନେଇ କଂଗ୍ରେସରେ ଏକ ପ୍ରସ୍ତାବ ଆସିଥିଲା । ଏନେଇ ଭୋଟିଂ ବି ହୋଇଥିଲା, ତେବେ ଗୋଟିଏ ଭୋଟରେ କାଟ୍ ଖାଇଥିଲା ପ୍ରସ୍ତାବ । ତେବେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଦୁଇ ଦେଶ ମଧ୍ୟରେ ଦୂରତା ବଢିଥିଲା । କିଛି ରାଜ୍ୟରେ ଜର୍ମାନୀ ଭାଷା ପଢିବା ଉପରେ ବି କଟକଣା ଲାଗିଲା । ଜର୍ମାନୀ ଭାଷାଭାଷୀଙ୍କୁ ଆମେରିକାରେ ସନ୍ଦେହ ଦୃଷ୍ଟିରେ ଦେଖାଗଲା । ଏପରିକି ଭୟରେ ଜର୍ମାନୀ ଲୋକ ସର୍ବସାଧାରଣ ସ୍ଥାନରେ ନିଜ ଭାଷା କହିଲେନି।
ଇଂରାଜୀ ପାଇଁ ଉଠିଛି ଦାବି
ଅଶୀ ଦଶକରେ ୟୁଏସ୍ ଇଂଲିଶ ନାମକ ଏକ ସଂଗଠନ, ଇଂରାଜୀକୁ ଦେଶର ସରକାରୀ ଭାଷା ବନାଇବାକୁ ଦାବି କରିଥିଲା । ଏନେଇ କାର୍ଲିଫର୍ଣ୍ଣିଆରେ ଜନମତ ସଂଗ୍ରହ କରାଯାଇଥିଲା । ଏଥିରେ ଅଧିକାଂଶ ଲୋକ ଇଂରାଜୀ ସପକ୍ଷରେ ଭୋଟ୍ ଦେଇଥିଲେ। ତେବେ ଜାତୀୟସ୍ତରରେ ଉଦ୍ୟମ ବିଫଳ ହୋଇଥିଲା । ୯୦ଦଶକରେ ତତ୍କାଳୀନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ବି ଇଂରାଜୀକୁ ସରକାରୀ ଭାଷା କରିବାକୁ ଉଦ୍ୟମ କରିଥିଲେ । ତେବେ ଏଭଳି ହେଲେ ପ୍ରବାସୀଙ୍କ ସହ ଭେଦଭାବ ହେବ ବୋଲି ବିଭିନ୍ନ ମାନବାଧିକାର ସଂଗଠନ ମତ ରଖିଲେ । ଫଳରେ ଆଇନ ସିନେଟରେ ହିଁ ଅଟକିଗଲା ।
ଆମେରିକାରେ କେଉଁ କେଉଁ ଭାଷାର ପ୍ରଚଳନ?
ଆମେରିକାର ତିନି ଚତୁର୍ଥାଂଶ ଲୋକ ଘରେ କେବଳ ଇଂରାଜୀ ଭାଷା କୁହନ୍ତି । ୪କୋଟି ୨୦ଲକ୍ଷ ଲୋକ ସ୍ପାନିସ ଓ ୩୦ଲକ୍ଷ ଲୋକ ଚୀନର ଭାଷା କୁହନ୍ତି । ଏହାଛଡା ହିନ୍ଦୀ ସମେତ ଅନେକ ଭାଷାଭାଷୀ ଲୋକ ଆମେରିକାରେ ରହିଛନ୍ତି । ୟୁଏସ୍ ସେନସର ବ୍ୟୁରୋ ତଥ୍ୟ ଅନୁସାରେ, ଆମେରିକାର ପ୍ରତି ୫ଜଣରେ ଜଣେ ଇଂରାଜୀ ସହ ଅନ୍ୟ ଭାଷାରେ ବି କଥା ହୁଅନ୍ତି । ପୂରା ଦେଶରେ ସାଢେ ୩ଶହରୁ ଅଧିକ ଭାଷା ରହିଛି । ଏହା ମଧ୍ୟରେ ସ୍ପାନିସ, ଜର୍ମାନୀ, ଚୀନ ଭାଷା ଓ ଆରବିକର ବହୁଳ ବ୍ୟବହାର ହେଉଛି । ତେବେ ଦେଶରେ ଇଂରାଜୀ ଭାଷା ସବୁଠୁ ଅଧିକ ପ୍ରଚଳିତ ଭାଷା ।
ନିର୍ବାଚନ ପ୍ରଚାର ବେଳେ ହିଁ ଭାଷାକୁ ନେଇ କଡା ଆଭିମୁଖ୍ୟ ଦେଖାଇଥିଲେ ଟ୍ରମ୍ପ । ଆମେରିକାରେ ଅନେକ ଭାଷା ଆସୁଛି, ଯାହାକୁ ସେଠାକାର ଲୋକ ଜାଣନ୍ତିନି । ଏହା ବିପଜ୍ଜନକ ବୋଲି ସେ କହିଥିଲେ । ନିଜ ପ୍ରଥମ କାର୍ଯ୍ୟକାଳରେ ବି ଟ୍ରମ୍ପ ଅନ୍ୟଭାଷାକୁ ନେଇ ନିଜ ନାପସନ୍ଦ ଦେଖାଇଛନ୍ତି । ଏପର୍ଯ୍ୟନ୍ତ ୩୦ଟି ରାଜ୍ୟରେ ଇଂରାଜୀକୁ ସରକାରୀ ଭାଷା ଘୋଷଣା କରାଯାଇଛି । କେନ୍ଦ୍ରରେ ଇଂରାଜୀକୁ ସରକାରୀ ଭାଷା ଘୋଷଣା କରାଯାଇ ନଥିବାରୁ ଅନ୍ୟ ଭାଷାର ବି ବ୍ୟବହାର ହୋଇ ଆସୁଥିଲା। ତେବେ ଟ୍ରମ୍ପ ଇଂରାଜୀକୁ ସରକାରୀ ଭାଷା ଘୋଷଣା କରି ଅନେକ ଦିନର ଦାବି ପୂରଣ କରିଛନ୍ତି ।
Comments are closed.