ଭୁବନେଶ୍ୱର: ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪୨ କୋଟି ଟଙ୍କାର ୧୬ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ଏହା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରାୟ ୧୧୮ କୋଟି ଟଙ୍କା ବ୍ୟୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆନନ୍ଦପୁର ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ, ମଲ୍ଟି ପର୍ପୋଜ ହଲ ନିର୍ମାଣ, ସେମିନାର ହଲ ନିର୍ମାଣ, ଖେଳପଡିଆର ଉନ୍ନତିକରଣ ନିମନ୍ତେ ୭ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହାକୁ ସ୍ୱାୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଁ ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିବା ବେଳେ ଆନନ୍ଦପୁର ଠାରେ ଷ୍ଟାଡିଅମର ପୂର୍ଣ୍ଣାଙ୍ଗ କଳେବର ପାଇଁ ୨୦ କୋଟି ଟଙ୍କାର ଆର୍ଥିକ ସହାୟକ ଘୋଷଣା କରିଛନ୍ତି ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆନନ୍ଦପୁର ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଅନନ୍ୟ । ପ୍ରତିବର୍ଷ ଏହି ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକରେ ବିଭିନ୍ନ ବିଷୟରେ ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଶୀର୍ଷତମ ସ୍ଥାନ ଅଧିକାର କରି ଏହି ଅନୁଷ୍ଠାନର ଗାରିମାକୁ ବହୁଗୁଣିତ କରିଛନ୍ତି l ଏପରି ଏକ ମହାନ ଅନୁଷ୍ଠାନରେ ମୁଁ ଅଧ୍ୟୟନ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି l
ସେ ଆହୁରି କହିଥିଲେ ଯେ, ଉଚ୍ଚ ଶିକ୍ଷାରେ ଆମ ସରକାର ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି । ଆମ ସରକାର ଉଭୟ ଶିକ୍ଷା ଏବଂ ପରୀକ୍ଷାରେ ସଂସ୍କାର ଆଣିଛନ୍ତି । ଶିକ୍ଷାର ମାନ ବୃଦ୍ଧି କରିବା ସହିତ ବିଦ୍ୟାର୍ଥୀମାନେ କିପରି ଭାବେ ମେରିଟ ଅନୁଯାୟୀ ଚାକିରି ଏବଂ ଉଚ୍ଚ ଶିକ୍ଷା ପାଇବେ ସେଥିପାଇଁ ଆମେ କାର୍ଯ୍ୟ କରୁଛୁ । ଏଣିକି, ଚାକିରି କେବଳ ସେମାନେ ପାଇବେ, ଯେଉଁମାନେ ହକଦାର। ସରକାରୀ ଚାକିରି ସେମାନଙ୍କ ପାଇଁ ନୁହେଁ, ଯାହା ପକେଟରେ ପଇସା ଅଛି। ଆପଣମାନ ସମସ୍ତେ ଅଧ୍ୟବସାୟ କରନ୍ତୁ, ପରିଶ୍ରମ କରନ୍ତୁ।
ଆଗାମୀ ପାଞ୍ଚ ବର୍ଷରେ ଅତି କମରେ ୧.୫ ଲକ୍ଷ ସରକାରୀ ଚାକିରିର ଦ୍ଵାର ଆପଣଙ୍କ ପାଇଁ ଅପେକ୍ଷା କରି ରହିଛି, ଯାହା ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ ପ୍ରକ୍ରିୟାରେ ହେବ ବୋଲି ସେ କହିଥିଲେ ।
ଆଗାମୀ ଦିନରେ ଓଡ଼ିଶାର ଶିକ୍ଷା, ଶିକ୍ଷାନୁଷ୍ଠାନ, ଶିକ୍ଷକ ଓ ଛାତ୍ରଙ୍କ ବିକାଶପାଇଁ ଆମ ସରକାର ସମସ୍ତ ପଦକ୍ଷେପ ନେବେ ଏବଂ ଓଡ଼ିଶାର ଶିକ୍ଷାର ବିକାଶଦ୍ଵାରା ଓଡ଼ିଆ ଛାତ୍ର ଓ ଶିକ୍ଷକ ଜାତୀୟ ଓ ଅନ୍ତର୍ଜାତୀୟ ମାନକ ଓ ସୂଚକାଙ୍କରେ ସମକକ୍ଷ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
Comments are closed.