ଜୟପୁର: ଗୁଟଖା ବ୍ରାଣ୍ଡର ବିଜ୍ଞାପନ ଯୋଗୁଁ ବଲିଉଡ ବାଦଶାହା ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜୟପୁର ଜିଲ୍ଲା ଉପଭୋକ୍ତା କମିଶନ ଭ୍ରାମକ ବିଜ୍ଞାପନ ସହିତ ଜଡିତ ଏକ ମାମଲାରେ ଏହି ତାରକାମାନଙ୍କୁ ସମନ ପଠାଇଛନ୍ତି । କମିଶନ ଶାହରୁଖ ଖାନଙ୍କୁ ମାର୍ଚ୍ଚ ୧୯ ସୁଦ୍ଧା ଏହି ବିଷୟରେ ଜବାବ ଦେବାକୁ କହିଛନ୍ତି । ଏହି ମାମଲାଟି କେସର ସ୍ୱାଦଯୁକ୍ତ ଗୁଟଖାର ପ୍ରଚାର ସହିତ ଜଡିତ, ଯେଉଁଥିରେ ଦାବି କରାଯାଇଥିଲା ଯେ ପ୍ରତ୍ୟେକ ଦାନାରେ କେସର ରହିଛି ।
ପାନ ମସଲାରେ କେସର ଥିବାର ମିଥ୍ୟା ବିଜ୍ଞାପନ କରୁଥିବା ଯୋଗୁଁ ଅଭିଯୋଗ କରିଛନ୍ତି ଆବେଦନକାରୀ । ଆବେଦନକାରୀ କହିଛନ୍ତି ଯେ ଶାହରୁଖ ଖାନ, ଟାଇଗର ଶ୍ରଫ ଏବଂ ଅଜୟ ଦେବଗନ ବଡ ଷ୍ଟାର ଏବଂ ଲକ୍ଷ ଲକ୍ଷ ଲୋକ ସେମାନଙ୍କୁ ଅନୁସରଣ କରନ୍ତି । ଏପରି ପରିସ୍ଥିତିରେ ଏଭଳି ମିଥ୍ୟା ପ୍ରଚାର କରିବା ଆଦୌ ଠିକ୍ ନୁହେଁ ।
ଆବେଦନକାରୀ ଏହା ମଧ୍ୟ କହିଛନ୍ତି ଯେ କେସରର ମୂଲ୍ୟ କିଲୋ ପିଛା ୪ ଲକ୍ଷ ଟଙ୍କା, ଯେତେବେଳେ ପାନ ମସଲା କିମ୍ବା ଗୁଟଖାର ପ୍ୟାକେଟର ଦାମ ରହୁଛି ୫ ଟଙ୍କା । ଏଭଳି ପରିସ୍ଥିତିରେ ଯଦି ଆମେ ଦେଖିବା ମାତ୍ର ୫ ଟଙ୍କାରେ କେସର କିପରି ମିଳିପାରିବ? ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ।
ଅଭିଯୋଗରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ବିଜ୍ଞାପନ ନିର୍ମାତା କମ୍ପାନୀ ତମ୍ବାଖୁ ତଥା ଗୁଟଖା ବିକି କୋଟି କୋଟି ଟଙ୍କାର ରୋଜଗାର କରୁଛି । ଅନ୍ୟପଟେ ଏଭଳି ସେଲିବ୍ରିଟିଙ୍କୁ ଅନୁସରଣ କରୁଥିବା ସାଧାରଣ ଲୋକେ ପାନ ମସଲା ଏବଂ ଗୁଟଖାର ସେବନ କରି କ୍ୟାନ୍ସର ଭଳି ରୋଗକୁ ବରଣ କରୁଛନ୍ତି । ତେଣୁ ଏହି ଆଡ୍କୁ ସଙ୍ଗେସଙ୍ଗେ ବନ୍ଦ କରାଯାଉ ।
Comments are closed.