ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା ହେଉଛି ସରକାରଙ୍କ ପ୍ରାଥମିକତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରବିବାର ଶୁଭାରମ୍ଭ ହୋଇଥିବା ଶକ୍ତି ଆପ୍ଲିକେସନ୍ ମହିଳାମାନଙ୍କ ସୁରକ୍ଷା କ୍ଷେତ୍ରରେ ଏକ ଗେମ୍ ଚେଞ୍ଜର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ୱିମେନ୍ ଇନ ମିଡିଆ(ଓଡବ୍ଲୁଏମ୍)ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ସମାରୋହକୁ ଉଦଘାଟନ କରିବା ଅବସରରେ ଶ୍ରୀମତୀ ପରିଡ଼ା କହିଥିଲେ, ରାଜ୍ୟ ସରକାର ମହିଳାମାନଙ୍କ ସୁରକ୍ଷା ପାଇଁ ଯଥେଷ୍ଟ ଯତ୍ନବାନ ଅଛନ୍ତି । ଶକ୍ତି ଆପ୍ଲିକେସନ୍ ଏ ଦିଗରେ ଏକ ବୈପ୍ଲବିକ ପରିର୍ବନ ଆଣିବାକୁ ଯାଉଛି । ଦୁଷ୍କର୍ମର ଶିକାର ଜଣେ ପୀଡ଼ିତାଙ୍କୁ ନିଜ ପରିବାର ଓ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ପୁଲିସ, ଡାକ୍ତର, ଓକିଲ ଏବଂ ବିଚାରପତିଙ୍କ ସମ୍ମୁଖରେ ଛିଡ଼ା ହୋଇ ନିଜ ନିର୍ଯ୍ୟାତନାର କାହାଣୀ ବର୍ଣ୍ଣନା କରିବାକୁ ପଡ଼ିବନି । ଶକ୍ତି ଆପ୍ ମାଧ୍ୟମରେ ପୀଡ଼ିତା ତାଙ୍କ ଦୁର୍ଦ୍ଦଶା ଓ ନିର୍ଯ୍ୟାତନା ସମ୍ପର୍କରେ ବୟାନ ରେକର୍ଡ କରିପାରିବେ । ଏହି ରେକର୍ଡ ଅଦାଲତରେ ବ୍ୟବହାର କରାଯାଇପାରିବ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆହୁରି କହିଥିଲେ, କେବଳ ମହିଳାମାନଙ୍କୁ ନେଇ ଏକ କୋର୍ଟ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିରେ ଚତୁର୍ଥ ଶ୍ରେଣୀ କର୍ମଚାରୀ, ପେସ୍କାର, ଓକିଲଙ୍କଠାରୁ ଆରମ୍ଭ କରି ବିଚାରପତିଙ୍କ ଯାଏଁ ସମସ୍ତେ ମହିଳା ରହିବେ। ଏହାଦ୍ୱାରା ମହିଳାମାନେ ନିଜକୁ ଆହୁରି ସୁରକ୍ଷିତ ମଣିପାରିବେ। ମହିଳାମାନେ ଆଜି ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ପକଦବୀରେ ଥିଲା ବେଳେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା କରିବାର ଆବଶ୍ୟକତା ପଡୁଛି। ଏ ଦିଗରେ ମହିଳା ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ନିଜ ସହର ଏବଂ କର୍ମକ୍ଷେତ୍ରର ସେଫ୍ଟି ଅଡିଟ୍ ପ୍ରସ୍ତୁତ କରି ଆଗାମୀ ବର୍ଷେ ପାଇଁ ମହିଳାଙ୍କ ସୁରକ୍ଷାରେ ଅବଦାନ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ମହିଳା ସାମ୍ବାଦିକଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହେବା ସହ ଇଚ୍ଛୁକ ପ୍ରତିଭାଙ୍କ ପାଇଁ ଆର୍ଥିକ ପ୍ରତିବନ୍ଧକ ଦୂର କରିବା ପାଇଁ ଓଡବ୍ଲୁଏମ୍ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ସାମ୍ବାଦିକା ଶୋଭା ସୁରିନ୍ ଏବଂ ସୁମିତ୍ରା ସାହୁଙ୍କୁ ଓଡବ୍ଲୁଏମ ଆୱାର୍ଡସ୍ ଫର୍ ଏକ୍ସଲେନ୍ସ ଇନ ଜର୍ଣ୍ଣଲିଜିମ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏଥିସହ ଓଡବ୍ଲୁଏମ୍ ର ବାର୍ଷିକ ପତ୍ରିକା “ଆରୋହୀ” ର ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ବରିଷ୍ଠ ସାମ୍ବାଦିକା ଉମା ସୁଧୀର ଏବଂ ଅଳକା ସାହାଣୀ । ଆୟୋଜିତ ପ୍ରଥମ ଅଧିବେଶନରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ମହିଳା ଉଦ୍ୟୋଗୀ ଯାଜପୁରର ଭଗବତୀ ସାହୁ ଏବଂ ବାଲେଶ୍ୱରର ଜୟନ୍ତୀ ମହାରଣା, ଫୁଟବଲ ଖେଳାଳି ପୁଷ୍ପାରାଣୀ ଭୂୟାଁ ସେମାନଙ୍କ ସଂଘର୍ଷ ଏବଂ ସଫଳତାର କାହାଣୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇ ସାମାଜିକ ବିକାଶରେ ମହିଳା ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଓଡବ୍ଲୁଏମ ସଭାନେତ୍ରୀ କସ୍ତୁରୀ ରାୟ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସମ୍ପାଦିକା ମିନତୀ ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ । ସଂଗଠନର ଉପସଭାନେତ୍ରୀ ଶାରଦା ଲାହାଙ୍ଗୀର ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.