ବ୍ରହ୍ମପୁର: ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ତଥା ଗୁଣାତ୍ମକ ବିଜୁଳି ସେବା ଯୋଗାଇବାରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ-ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପ୍ରତିବଦ୍ଧ ରହିଛି। କୃଷି ପାଇଁ ଆବଶ୍ୟକୀୟ ବିଦ୍ୟୁତ ସମେତ ବର୍ଦ୍ଧିଷ୍ଣୁ ବିଜୁଳି ଚାହିଦାକୁ ପୂରଣ କରିବା ପାଇଁ କମ୍ପାନୀ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ ଓ ଏହାର ଆଖପାଖ ଅଞ୍ଚଳରେ ଏକ ବ୍ୟାପକ ଭିତ୍ତିଭୂମି ଉନ୍ନତିକରଣ ପଦକ୍ଷେପ ନିଆଯାଉଛି। ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଭୋଲ୍ଟେଜ ସ୍ଥିରତା ବୃଦ୍ଧି ପାଇବ ଏବଂ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହେବ।
ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟ ନେଇ ଟିପିଏସ୍ଓଡିଏଲ୍ ପକ୍ଷରୁ ରାଇଘର ପ୍ରାଇମେରୀ ସବଷ୍ଟେସନ (ପିଏସ୍ଏସ୍)ର ଉନ୍ନତିକରଣ କରାଯାଇଛି। ତିନୋଟି ପାୱାର ଟ୍ରାନ୍ସଫର୍ମର (ପିଟିଆର)କୁ ୫ ଏମଭିଏ ଏବଂ ଗୋଟିଏ ଟ୍ରାନ୍ସଫର୍ମରକୁ ୭.୫ ଏମଭିଏକୁ ଉନ୍ନତ ହେବା ଦ୍ବାରା ସବଷ୍ଟେସନର କ୍ଷମତା ବୃଦ୍ଧି ପାଇଛି। ଯାହା ଫଳରେ ବଢୁଥିବା ବିଜୁଳି ଚାହିଦାକୁ ଏହା ପୂରଣ କରିପାରିବ। ଏହାବ୍ୟତୀତ, ସର୍ବୋତ୍ତମ ଭୋଲ୍ଟେଜସ୍ତର ବଜାୟ ରଖିବା ପାଇଁ ପିଟିଆରଗୁଡ଼ିକର ଅପ୍ଟିମାଇଜେସନ କରାଯାଇଛି, ଯାହା ବିଦ୍ୟୁତ ବିତରଣ ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିବ। ୧୧ କେଭି ଫିଡରରେ କାପାସିଟର ବ୍ୟାଙ୍କ ସ୍ଥାପନ ହେବା ଫଳରେ ସ୍ଥିରତା ବୃଦ୍ଧି ହୋଇଛି ଏବଂ ଏହା ଯୋଗୁଁ ଭୋଲ୍ଟେଜ ସମସ୍ୟା ଦୂର ହେବା ସହ ସାମଗ୍ରିକ ଭାବେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଉନ୍ନତ ହେବ।
ବିଦ୍ୟୁତ ନେଟୱାର୍କକୁ ସୁଦୃଢ଼ କରିବା ସକାଶେ ଏକ ଦୀର୍ଘକାଳୀନ ସମାଧାନ ଭାବରେ ଓପିଟିସିଏଲର ତତ୍ତ୍ଵାବଧାନରେ ରାଇଘରରେ ଏକ ଗ୍ରୀଡ ସବଷ୍ଟେସନ (ଜିଏସ୍ଏସ୍) ନିର୍ମାଣ ଚାଲିଛି। ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଏହି ଉନ୍ନତ ଭିତ୍ତିଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯାହା ଦ୍ଵାରା ସୁବିଧାରେ ଏବଂ ପ୍ରଭାବଶାଳୀ ଢଙ୍ଗରେ ବିଦ୍ୟୁତ ଯୋଗାଣ ହୋଇପାରିବ।
ଭିତ୍ତିଭୂମି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା (ଏମ୍ଏମ୍ଏସବିଜେ) ଅଧୀନରେ ଟିପିଏସ୍ଓଡିଏଲ୍ ପ୍ରାଇମେରୀ ସବଷ୍ଟେସନ ନିର୍ମାଣ କରୁଛି। ଧୋଡ୍ରା, ଯୋଡ଼ିଙ୍ଗା ଏବଂ ଡୁମୁରିମୁଣ୍ଡାଠାରେ ୨×୫ ଏମଭିଏ ଟ୍ରାନ୍ସଫର୍ମର ଥିବା ସବଷ୍ଟେସନ ନିର୍ମାଣ କାମ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି। ଚଳିତ ମାସ ଶେଷ ସୁଦ୍ଧା ଏହି ସବଷ୍ଟେସନଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ସ୍ଥାୟୀ ଭୋଲ୍ଟେଜ ସୁନିଶ୍ଚିତ ହେବା ସହ ବିଦ୍ୟୁତ ଯୋଗାଣରେ ବିଶ୍ୱସନୀୟତା ବୃଦ୍ଧି ପାଇବ।
ଏହିସବୁ ଭିତ୍ତିଭୂମି ବିକାଶ ପଦକ୍ଷେପ ସମେତ ସଞ୍ଚାରଣ ସାମର୍ଥ୍ୟ ଉନ୍ନତ କରିବା ପାଇଁ ଟିପିଏସ୍ଓଡିଏଲ୍ ୩୩ କେଭି ଏବଂ ୧୧ କେଭି ଲାଇନର ଉନ୍ନତିକରଣ ଦିଗରେ କାମ କରୁଛି। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ୧୧ କେଭି ଫିଡରଗୁଡ଼ିକରେ ଅଟୋମେଟିକ ଭୋଲ୍ଟେଜ ରେଗୁଲେଟର (ଏଭିଆର) ମଧ୍ୟ ସ୍ଥାପିତ ହୋଇଛି। ଏସବୁ ପ୍ରୟାସ ଭରସାଯୋଗ୍ୟ ବିଜୁଳି ସେବା ପ୍ରଦାନ କରି ଉପଭୋକ୍ତାଙ୍କ ସନ୍ତୁଷ୍ଟିକୁ ବଢ଼ାଇବା ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଉଛି।
Comments are closed.