Latest Odisha News

BREAKING NEWS

ରେକର୍ଡ ଭାଙ୍ଗୁଛି ତାତି, ଦୁଇ ଦିନ ପ୍ରଚଣ୍ଡ ଗରମ: ୩ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କଲବଲ କରୁଛି ତାତି। ପ୍ରଚଣ୍ଡ ଅଗ୍ନିବର୍ଷାରେ ଛଟପଟ ହୋଇ ଯାଇଛି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା । ସୋମବାର ବି ନିସ୍ତାର ନାହିଁ । ମାର୍ଚ୍ଚ ଅଧାରେ ଆକାଶରୁ ନିଆଁ ବର୍ଷୁଛି। ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି। କ୍ରମାଗତ ଦ୍ବିତୀୟ ଦିନ ପାଇଁ ଗତକାଲି ବୌଦ୍ଧ ଥିଲା ଦେଶର ସବୁଠୁ ଉତ୍ତପ୍ତ ସହର। ଗତକାଲି ବୌଦ୍ଧର ତାପମାତ୍ରା ଥିଲା ୪୩.୬ ଡିଗ୍ରୀ ସେଲସିଅସ୍ । ୪୨ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଥିଲା ଦେଶର ଦ୍ବିତୀୟ ଉତ୍ତପ୍ତ ସହର।

ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମଲହରୀ। ଆଜି ପୁଣି ଝାରସୁଗୁଡ଼ା ପାଇଁ ପାଣିପାଗ ବିଭାଗର ରେଡ୍ ୱାର୍ଣ୍ଣିଂ ରହିଛି। ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାକୁ ରହିଛି ରେଡ୍ ୱାର୍ଣ୍ଣିଂ। ସେହିଭଳି ୫ ଜିଲ୍ଲାର କିଛି ଅଞ୍ଚଳକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନେକ ଜିଲ୍ଳାକୁ ୟେଲୋ ଆଲର୍ଟ ଜାରି ହୋଇଛି।

ଆସନ୍ତାକାଲି କୌଣସି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ନାହିଁ। କେବଳ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ୧୯ ତାରିଖରୁ ପାଗ ବଦଳିବା ସମ୍ଭାବନା। ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତକାଲି ୪-୫ଟି ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଥିଲା। ସେହିପରି ୭ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ବର୍ଷା ସମ୍ଭାବନା ରହିଛି।

Comments are closed.