Latest Odisha News

କାହିଁକି ଦେଓମାଳି ଶିଖରରେ ପହଞ୍ଚି ନିରାଶ ହେଲେ ରାଜାମୌଲି?

କୋରାପୁଟ: ଓଡିଶାରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲି । ତାଙ୍କ ଆଗାମୀ ଚଳଚ୍ଚିତ୍ର SSMB-29ର ସୁଟିଂ ପାଇଁ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ନିଜର ଟିମ୍ ସହ ଡେରା ପକାଇଛନ୍ତି । ଏହି ରହଣି ସମୟରେ, ସେ ଓଡ଼ିଶାର ବହୁ ପ୍ରସିଦ୍ଧ ତଥା ସର୍ବୋଚ୍ଚ ପର୍ବତ ଶିଖର ଦେଓମାଳିକୁ ଏକ ସୋଲୋ ଯାତ୍ରା କରିଥିଲେ । କିନ୍ତୁ ସେଠାକୁ ଯାଇ, ସେ ଯାହା ଅନୁଭବ କଲେ ତାହା ଆପଣଙ୍କୁ ବି ମର୍ମାହତ କରିବ । ଦେଓମାଳି ଶିଖରର ମନୋରମ ସୌନ୍ଦର୍ଯ୍ୟରେ ସେ ମୁଗ୍ଧ ହୋଇଯାଇଥିଲେ ସତ କିନ୍ତୁ ସେଠିକା ପରିବେଶ ତାଙ୍କୁ ନିରାଶ କରିଥିଲା ।

ତେବେ ବର୍ତ୍ତମାନ ସିନେମା ସୁଟିଂରୁ କିଛି ସମୟ ବିରତି ନେଇ କୋରାପୁଟର ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବାହାରି ପଡିଥିଲେ ସିନେମା ନିର୍ମାତା ରାଜାମୌଲି । ଏହାରି ଭିତରେ ସେ ରାଜ୍ୟର ସର୍ବୋଚ୍ଚ ଶିଖର ଦେଓମାଳିକୁ ଯାତ୍ରା କରିଥିଲେ । ଯାହାକୁ ନେଇ ସେ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ତାଙ୍କ ଅନୁଭୂତି ପ୍ରକାଶ କରିଥିଲେ । ଏଥିସହିତ କିପରି ଜଣେ ନାଗରିକକୁ ତା’ର ଦାୟିତ୍ବବୋଧ ବୁଝିବା ଆବଶ୍ୟକ ସେନେଇ ଦୃଷ୍ଟି ଆକର୍ଷଣ କରିଥିଲେ ।

ସୋସିଆଲ ମିଡିଆରେ ନିଜର ଚିନ୍ତା ପ୍ରକାଶ କରି, ରାଜାମୌଲି ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଏବଂ ନାଗରିକ ସଚେତନତାର ଆବଶ୍ୟକତା ଉପରେ ଅଧିକ ଗୁରୁତ୍ବ ଦେଇ ଲେଖିଛନ୍ତି, ଓଡିଶାର ସର୍ବୋଚ୍ଚ ଏବଂ ସବୁଠାରୁ ଚମତ୍କାର ଶିଖର ଦେଓମାଳିକୁ ଆଶ୍ଚର୍ଯ୍ୟଜନକ ଏକାକୀ ଯାତ୍ରା କରିଥିଲି। ଉପରୁ ଦୃଶ୍ୟ ସମ୍ପୂର୍ଣ୍ଣ ମନୋରମ ଥିଲା । ହେଲେ ସେଠିକା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ରାସ୍ତା ଦେଖିବା ନିରାଶାଜନକ ଥିଲା । ଏପରି ନୈରାଶ୍ୟଜନକ ଆଶ୍ଚର୍ଯ୍ୟ ଆହୁରି ଭଲ ହେବା ଯୋଗ୍ୟ । ନାଗରିକମାନଙ୍କ ଟିକିଏ ଦାୟିତ୍ବବୋଧ, ଏଥିରେ ବଡ଼ ପରିବର୍ତ୍ତନ ଆଣିପାରିବ । ପ୍ରତ୍ୟେକ ପରିଦର୍ଶକ ଏହି ସ୍ଥାନଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସେମାନଙ୍କର ଅଳିଆ ଆବର୍ଜନା ନିଜ ସହ ଫେରାଇ ନେବା ଉଚିତ୍ । ଦେଇମାଳିର ପରିବେଶ ଦେଖି ଦୁଃଖ ପ୍ରକାଶ କରିବା ସହ କିଛି ଏପରି ଉକ୍ତି ଲେଖିଥିଲେ ଏସଏସ ରାଜାମୌଲି । ଯାହା ବାସ୍ତବରେ ଆଜିକା ସମୟରେ ପର୍ଯ୍ୟଟନ ସ୍ଥଳ ହେଉକି ରାସ୍ତା ଘାଟ ସବୁ ପାଇଁ ଏକ ବଡ ଚିନ୍ତା ।

ତେବେ ଏଭଳି କ୍ଷେତ୍ରରେ କେବଳ ଗୋଟିଏ କଥା କହିହେବ, ଯେଉଁଠି ଓଡିଶାର କଳାସ୍ଥାପତ୍ୟ ସାରା ବିଶ୍ବକୁ ଆକର୍ଷିତ କରୁଛି, ସେଠି ଆମ ରାଜ୍ୟର ଏକ ଦାୟିତ୍ବବାନ ନାଗରିକ ଭାବେ ଆମେ ମଧ୍ୟ ଏହାର ଯତ୍ନ ନେବା ଆବଶ୍ୟକ । କେବଳ ଓଡିଶାର ପର୍ଯ୍ୟଟନ ସ୍ଥଳ ନୁହେଁ, ଦେଶର ପ୍ରତିଟି କୋଣ ସ୍ବଚ୍ଛ ଏବଂ ସୁନ୍ଦର କରିବା ଆମର ଦାୟିତ୍ବ । ଯାହାର ଜ୍ଞାନ ପ୍ରତିଟି ଭାରତୀୟଙ୍କ ମଧ୍ୟରେ ଉଦୟ ହେବା ଉଚିତ୍ । ଏହା ହେଲେ ବୋଧେ, ଦ୍ବିତୀୟ ଥର ପାଇଁ, ଆଉ କୌଣସି ପର୍ଯ୍ୟଟକଙ୍କ ଆଖି ଓଡିଶାର ମନୋରମ ଦୃଶ୍ୟ ଠାରୁ କେବେ ବି ହଟିବ ନାହିଁ ।

Comments are closed.