ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଟେକ୍ ଜାଏଣ୍ଟ ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ର କୋ-ସିଇଓ ହାନ ଜୋଙ୍ଗ-ହି ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ହାନ୍ ଜୋଙ୍ଗ-ହି ସାମସଙ୍ଗର କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ୍ ଡିଭାଇସ୍ ବିଭାଗର ମୁଖ୍ୟ ଥିଲେ। କମ୍ପାନୀର ଅନ୍ୟ କୋ-ସିଇଓ ଜୁନ୍ ୟଙ୍ଗ-ହୁନ୍ ଦକ୍ଷିଣ କୋରିଆର ସବୁଠାରୁ ବଡ଼ କମ୍ପାନୀର ଏକ ପ୍ରମୁଖ ଅଂଶ ଚିପ୍ ବ୍ୟବସାୟର ତଦାରଖ କରନ୍ତି।
ତେବେ କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି ଯେ ଛୁଟିରେ ଯାଇଥିବା ହାନ୍ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏହି ସମୟରେ ହୃଦଘାତର ଶିକାର ହୋଇଥିଲେ।
ହାନ୍ ପ୍ରାୟ ୪୦ ବର୍ଷ ପୂର୍ବେ ସାମସଙ୍ଗ ଇଲେକ୍ଟ୍ରୋନିକ୍ସରେ ନିଜର କ୍ୟାରିଅର ଆରମ୍ଭ କରିବା ସହ ପରବର୍ତ୍ତୀ ସମୟରେ ଟିଭି ବ୍ୟବସାୟରେ ନିଜ ପାଇଁ ନାମ ଅର୍ଜନ କରିଥିଲେ। ୨୦୨୨ ମସିହାରେ ତାଙ୍କୁ ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଉପାଧ୍ୟକ୍ଷ ଏବଂ ସିଇଓ ଭାବରେ ନିଯୁକ୍ତ କରାଯାଇଥିଲା। ସେ କମ୍ପାନୀର ବୋର୍ଡ ସଦସ୍ୟ ମଧ୍ୟ ରହିଥିଲେ।
Comments are closed.