Latest Odisha News

୧୫ ଦିନ ଭିତରେ ନୂଆ ଅବକାରୀ ନୀତି ଆଣିବେ ବିଜେପି ସରକାର

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାକୁ ଯାଉଛି । ଆଉ ୧୫ ରୁ ୨୦ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ । ଏନେଇ ସୂଚନା ଦେଇଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ରାଜ୍ୟରେ ବର୍ତ୍ତମାନ ବିଜେଡି ସରକାର ଲାଗୁ କରିଥିବା ଅବକାରୀ ନୀତି ପ୍ରଚଳନ ହେଉଥିବା ବେଳେ ଆଉ ମାସେ ପୁରୁଣା ଅବକାରୀ ନୀତିକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ନୂଆ ଅବକାରୀ ନୀତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ୧୫ରୁ ୨୦ ଦିନ ଭିତରେ ଏହା ଲାଗୁ ହେବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ଅବକାରୀ ନୀତି ଲାଗୁ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ତେବେ ରାଜ୍ୟ ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ମୋହନ ମାଝୀଙ୍କ ସରକାର ନିଜସ୍ୱ ଅବକାରୀ ନୀତି ଆଣିବା ପାଇଁ ଏବେ କାମ କରୁଛନ୍ତି । ଯେଉଁଥିରେ ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଓ ପର୍ଯ୍ୟାୟକ୍ରମେ ମଦ ଦୋକାନ ସଂଖ୍ୟା ହ୍ରାସ ଏବଂ ବିଜେଡି ସରକାରର ‘ଲଟେରୀ ସିଷ୍ଟମରେ ୫ବର୍ଷିଆ ଲାଇସେନ୍ସ’ ଆଦିରେ ବ୍ୟାପକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏହାଛଡ଼ା ପୂର୍ବର ବିଜେଡି ସରକାର ଭଳି ରାଜସ୍ୱ ସଂଗ୍ରହ ପାଇଁ ଅବକାରୀ ଟିକସ ଉପରେ ନିର୍ଭରଶୀଳତା କମ କରିବାକୁ ମଧ୍ୟ ନୂଆ ସରକାର ଯୋଜନା ରହିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ପ୍ରତିବର୍ଷ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଘୋଷଣା କରିଥାନ୍ତି । ତେବେ ଚଳିତବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ୧ରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଅବକାରୀ ନୀତି ଘୋଷଣା କରିଥିଲେ । ଏହା ପରେ ନୂଆ ସରକାର ଆସିବା ପରେ , ଏହାକୁ ପ୍ରଥମେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଇଥିଲେ । ପରେ ନୂଆ ଅବକାରୀ ନୀତି ନେଇ କାମ ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର ଅବଧି ମାସେ ମାସେ ବୃଦ୍ଧି କରାଯାଉଛି ।

Comments are closed.