Latest Odisha News

ଅଣ୍ଟା ସଳଖିଛି କି ନାହିଁ ପୁଣି ଭୂକମ୍ପରେ ଥରିଲା ମିଆଁମାର: ଗତ ମାସ ଝଟକାରେ ଯାଇଥିଲା ହଜାର ଜୀବନ

ନେପିତ: ଲିଭିନି ଗତ ମାସର ଭୂକମ୍ପର କୋହ । ଏବେ ବି ମାଟି ତଳୁ ଖୋଜା ଚାଲିଛି ଜୀବନ । ମାର୍ଚ୍ଚ ମାସରେ ହୋଇଥିବା ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଏହାରି ଭିତରେ ଆଜି ପୁଣି ଥରିଛି ପଡୋଶୀ ଦେଶ ମିଆଁମାର । ୫.୫ ତୀବ୍ରତାର ଭୂମିକମ୍ପରେ ପୁଣି ଥରି ଉଡିଛି ମିଆଁମାର । ଗତ ମାସ ମାର୍ଚ୍ଚ ୨୮ ରେ ତୁହାକୁ ତୁହା ୭.୭ ତୀବ୍ରତାର ସହ ତାଣ୍ଡବ ରଚିଥିବା ଭୟଙ୍କର ଭୂମିକମ୍ପ ପରେ ରବିବାର ସକାଳେ ମିଆଁମାରରେ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ମୈକଟିଲା ନିକଟରେ ରହିଥିଲା ବୋଲି ସୂଚନା ମିଳିଛି । ଯାହାର ଝଟକା ମାଣ୍ଡାଲେ ଏବଂ ନାୟପିଡା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ବ୍ୟାପକ କ୍ଷୟକ୍ଷତିର ତୁରନ୍ତ କୌଣସି ରିପୋର୍ଟ ମିଳିପାରିନାହିଁ । ତଥାପି ପୂର୍ବରୁ ଭୟଙ୍କର ଭୂମିକମ୍ପ ଝଟକା ଖାଇ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା ମିଆଁମାର ପାଇଁ ଏହା ଆଉ ଏକ ଚ୍ୟାଲେଞ୍ଜ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳେ ପଡ଼ୋଶୀ ଦେଶ ମିଆଁମାରରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ରବିବାର ସକାଳେ କେନ୍ଦ୍ରୀୟ ମିଆଁମାରର ଏକ ଛୋଟ ସହର ମୈକଟିଲା ନିକଟରେ ୫.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ଏପରି ଏକ ସମୟରେ ଆସିଛି, ଯେତେବେଳେ ପୂର୍ବରୁ ମିଆଁମାର ଭୂକମ୍ପ ଭୟରେ ଯୁଝି ହେଉଛି । ଦେଶର କେନ୍ଦ୍ରୀୟ ଅଞ୍ଚଳରେ ଗତ ମାସ ୨୮ ତାରିଖରେ  ୭.୭ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହେବା ପରେ ଏବେ ବି ରିଲିଫ୍ କାର୍ଯ୍ୟରେ ନିୟୋଜିତ ରହିଛି ଦେଶ । ରୋବୋଟ ସାଙ୍ଗକୁ ସେନା ବାହିନର ସନ୍ଧାନ କାର୍ଯ୍ୟରେ ନିଯୋଜିତ ରହିଛନ୍ତି । ଘର ଦ୍ବାର ରାସ୍ତା ସବୁ କିଛି ମାଟିରେ ମିଶିଥିବା ବେଳେ ଧିରେ ଧିରେ ଏଥିରୁ ବାହାରୁଥିବା ମିଆଁମାରକୁ ଏବେ ଆଉ ଏକ ଭୂମିକମ୍ପ ଝଟକା ଲାଗିଛି । ୩ ସପ୍ତାହର ବିରତି ପରେ ପୁଣି ଥରେ ପଡ଼ୋଶୀ ଦେଶକୁ ଦୋହଲାଇ ଦେଇଛି ଭୂମିକମ୍ପ, ଯଦିଓ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ସାମ୍ନାକୁ ଆସିନାହିଁ ।

ପ୍ରାୟ ତିନି ସପ୍ତାହ ପୂର୍ବରୁ ସୃଷ୍ଟି ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ଦ୍ୱିତୀୟ ବୃହତ୍ତମ ସହର ମାଣ୍ଡାଲେ ଏବଂ ରାଜଧାନୀ ନେପିତ ମଧ୍ୟରେ  ରହିଥିଲା । ଯେଉଁଠାରେ ଗତ ମାସରେ ହୋଇଥିବା ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ଏବଂ ମୃତାହତ ହୋଇଥିଲା । ଏହି ଭୂମିକମ୍ପର ପ୍ରଭାବ ଭାରତ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଏବଂ ହିମାଚଳର ମଣ୍ଡିରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ମିଆଁମାରର ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଏହି ଭୂମିକମ୍ପ ମାଣ୍ଡାଲେରୁ ୯୭ କିଲୋମିଟର) ଦକ୍ଷିଣରେ ୱଣ୍ଡୱିନ୍ ଟାଉନସିପ୍ ଅଞ୍ଚଳରେ ୨୦ କିଲୋମିଟର ଗଭୀରତାରେ ଏକ ନୂଆ ଭୂମିକମ୍ପ ସୃଷ୍ଟି ହୋଇଥିଲା । ଆମେରିକାର ଭୂତତ୍ତ୍ୱ ସର୍ଭେ ଆକଳନ କରିଛି ଯେ ଏହାର ଗଭୀରତା ୭.୭ କିଲୋମିଟର ତଥା ୪.୮ ମାଇଲ ରହିଥିଲା । ମିଆଁମାର ସାମରିକ ସରକାରଙ୍କ ମୁଖପାତ୍ର ମେଜର ଜେନେରାଲଙ୍କ ସୂଚନା ଅନୁସାରେ, ଶୁକ୍ରବାର ସୁଦ୍ଧା ଭୂମିକମ୍ପରେ ଆହତଙ୍କ ସଖ୍ୟା ୫.୦୧୮ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୬୪୯ କୁ ପହଞ୍ଚିଥିଲା ।

Comments are closed.