ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନୀତିନ ଗଡ଼କରୀ। କଟକ ଓ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୪ ହଜାର କୋଟିର ୧୯ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ।
କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ଯିବେ। କଟକରୁ କାର୍ଯ୍ୟକ୍ରମ ସାରି ଅପରାହ୍ଣ ୩ଟାରେ ବରମୁଣ୍ଡା ପଡ଼ିଆରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ପରେ ଏନ୍ଏଚ୍ଏଆଇ କାର୍ଯ୍ୟାଳୟରେ ପ୍ରକଳ୍ପ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳନ କରିବ।
ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏବଂ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଅତିଥି ଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସାଢ଼େ ୪ଟା ବେଳକୁ ବରମୁଣ୍ଡା ପଡ଼ିଆରୁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ୮୦୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ। ତାଳଚେରରୁ କାମାକ୍ଷନଗର ଯାଏ ହୋଇଥିବା ୪ ଲେନ୍ ରାସ୍ତା ପ୍ରକଳ୍ପକୁ ସେ ରାଜ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ। ଏନଏଚ-୧୪୯ ଓ ୫୩ରେ ତିଆରି ହୋଇଥିବା ଏହି ପ୍ରକଳ୍ପରେ ୭୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ସେହିଭଳି ବାଲିକୁଦା, ଶିଖରପୁର ଓ ବଡ଼ଚଣାରେ ହୋଇଥିବା ଅଣ୍ଡରପାସ୍ର ମଧ୍ୟ ଲୋକାର୍ପଣ କରିବେ। ପ୍ରାୟ ୩୨୦୦ କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ୧୭ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ସେ ଭିତ୍ତିପ୍ରସ୍ତର ଦେବେ। ୯୭୩ କୋଟି ଟଙ୍କା ଖର୍ଚ୍ଚରେ ବଅଁରପାଳ ଓ ଗୋଡ଼ିବନ୍ଧ ଜାତୀୟ ରାଜପଥକୁ ପ୍ରଶସ୍ତିକରଣ କରି ୪ ଲେନ୍ କରିବା, ୭୧୮ କୋଟି ବ୍ୟୟରେ ଏନଏଚ୍-୫୯ରେ ଆସୁଥିବା ଦାରିଙ୍ଗିବାଡ଼ି ଘାଟି ରାସ୍ତାକୁ ପ୍ରଶସ୍ତ କରିବା, ୩୭୪ କୋଟି ଖର୍ଚ୍ଚରେ ଏନଏଚ୍-୧୦ରୁ ମଙ୍ଗଳପୁରରୁ କାୟାଁଗୋଳା ଓ ଆରଡି ଜାତୀୟ ରାଜପଥର ପ୍ରଶସ୍ତିକରଣ ପ୍ରକଳ୍ପ ପାଇଁ ଶ୍ରୀ ଗଡ଼କରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଝାରସୁଗୁଡ଼ାରେ ମହାନଦୀ ଉପରେ ପୁଜରୀପାଲ୍ଲୀ ଘାଟରୁ ଜରିମୁଲ୍ଲିକୁ ନୂଆ ସେତୁ ନିର୍ମାଣ ପ୍ରକଳ୍ପ ପାଇଁ ମଧ୍ୟ ଶିଳାନ୍ୟାସ ଦେବେ। ୨୭୪ କୋଟି ଟଙ୍କାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସନ୍ଧ୍ୟା ୬ଟା ବେଳକୁ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
Comments are closed.