Latest Odisha News

BREAKING NEWS

ଥମୁନି ଯାତ୍ରା କଳି: ବାପି ପଣ୍ଡାଙ୍କୁ କ୍ଷମା ମାଗିବାକୁ ଦାବି କଲେ ଯାତ୍ରା ମାଲିକ

ଭୁବନେଶ୍ୱର: ଓଡ଼ିଶାରେ ଯାତ୍ରା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। କଳାକାର ଓ ଯାତ୍ରା ପାର୍ଟି ମାଲିକମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଯାତ୍ରା ମାଲିକମାନେ କଳାକାରମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଶୁକ୍ରବାର ସୁଦ୍ଧା କ୍ଷମା ନ ମାଗିଲେ ସେମାନଙ୍କୁ ଭବିଷ୍ୟତରେ ଯାତ୍ରା ପାର୍ଟିରୁ ବାଦ ଦିଆଯିବ।

ଏହି ବିବାଦ ପାର୍ବତୀ ଗଣନାଟ୍ୟ ଓ ରାଜଧାନୀ ଓପେରାର ମ୍ୟାନେଜର ଜଗତ ଜୀବନ ପଣ୍ଡାଙ୍କ ଅଭିଯୋଗ ପରେ ଆହୁରି ଜଟିଳ ହୋଇଛି। ଜଗତ ଅଭିଯୋଗ କରିଛନ୍ତି ଯେ, ଯାତ୍ରା କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା ଯାତ୍ରା ପାର୍ଟିର ମାଲିକମାନଙ୍କୁ ଅସମ୍ମାନ କରିଛନ୍ତି। ଏହାକୁ ନେଇ ଯାତ୍ରା ପାର୍ଟି ମାଲିକମାନେ ଏକଜୁଟ ହୋଇ ବାପି ପଣ୍ଡାଙ୍କଠାରୁ କ୍ଷମା ମାଗିବାକୁ ଦାବି କରିଛନ୍ତି।

ଜଗତ ଜୀବନ ପଣ୍ଡା କହିଛନ୍ତି, “କଳାକାରମାନେ ଯାତ୍ରା ପାର୍ଟି ମାଲିକଙ୍କ ଉପରେ ନିର୍ଭର କରନ୍ତି। ଯଦି ମାଲିକ ନଥାନ୍ତେ କଳାକାରମାନେ କ’ଣ କରିବେ? ଓଡ଼ିଶାରେ ଯାତ୍ରା ସଂସ୍କୃତିକୁ କେହି ଅଟକାଇ ପାରିବେ ନାହିଁ।”

ଅପରପକ୍ଷରେ ଯାତ୍ରା ପାର୍ଟି ମାଲିକମାନେ ଦାବି କରିଛନ୍ତି ଯେ, କଳାକାର ନରି ପଣ୍ଡାଙ୍କ ସମସ୍ୟା ସମାଧାନ ଆଡ଼କୁ ଗତି କରୁଥିବା ବେଳେ କଳାକାର ସଂଘର ଅନାବଶ୍ୟକ ହସ୍ତକ୍ଷେପ ଏହି ବିବାଦକୁ ଆହୁରି ଜଟିଳ କରୁଛି।

ଅନ୍ୟପକ୍ଷରେ, ବାପି ପଣ୍ଡା ପାଲଟା ଅଭିଯୋଗ କରି କହିଛନ୍ତି, “କିଛି ଯାତ୍ରା ପାର୍ଟି ମାଲିକ କଳାକାରମାନଙ୍କୁ ପାରିଶ୍ରମିକ ଦେଉ ନାହାନ୍ତି। ଏପରି ମାଲିକମାନଙ୍କୁ କଳାକାରମାନଙ୍କୁ ଧମକ ଦେବାର କୌଣସି ଅଧିକାର ନାହିଁ। ଏପରି ଏକ ଯାତ୍ରା ଦଳର ଜଣେ ମହିଳା କଳାକାର ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କର ପାରିଶ୍ରମିକ ଏପର୍ଯ୍ୟନ୍ତ ମିଳିନାହିଁ।”

ଖଣ୍ଡଗିରି ମେଳା ପରେ ପୀୟୁଷ ତ୍ରିପାଠୀ ଦୁଇଟି ପାର୍ଟି ସହ ଚୁକ୍ତି କରି ବାବଦକୁ ଆସିଥିଲେ । ଯଦିଓ ସେ ଏବେ ବର୍ଷକ ପାଇଁ କୌଣସି ଯାତ୍ରା ପାର୍ଟି ପାଇଁ କାମ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହେଲେ ପରେ ପରେ ନରୀ ପଣ୍ଡା, ନମିତା, ବାପି ପଣ୍ଡା ଆଦି କଳାକାରଙ୍କୁ ନେଇ ବିବାଦ ଦେଖାଦେଇଛି ।

Comments are closed.