ଭୁବନେଶ୍ବର: ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଓଡିଆ ପୁଅ ଓମ ପ୍ରକାଶ ବେହେରା । ଜେଇଇ ମେନ ୨୦୨୫ ଟପ୍ପର ହୋଇଛନ୍ତି ଓମ୍ । ସେ ଜେଇଇ ମେନ୍ ୨୦୨୫ (JEE Main 2025) ସେସନ୍-୨ରେ ସର୍ବଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଓମ୍ ପ୍ରକାଶ ୩୦୦ ମାର୍କରୁ ୩୦୦ ଅର୍ଥାତ୍ ପରଫେକ୍ଟ ସ୍କୋର କରି ରେକର୍ଡ କରିଛନ୍ତି ।
ଏହି ସଫଳତା ପରେ ସେ ବର୍ତ୍ତମାନ ଜେଇଇ ଆଡଭାନ୍ସଡ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ୩ ବର୍ଷ ହେଲା ରାଜସ୍ଥାନ କୋଟାରେ ରହି କୋଚିଂ ନେଉଛନ୍ତି ।
ଓମ ପ୍ରକାଶ କୋଟାରେ ରହିବା ସମୟରେ ନିଜେ ଦଶମ ଶ୍ରେଣୀରୁ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେ ଦଶମ ଶ୍ରେଣୀରେ ୯୨ ପ୍ରତିଶତ ମାର୍କ ମଧ୍ୟ ରଖିଥିଲେ । ଗତ ତିନି ବର୍ଷ ଧରି ସେ ନିୟମିତ ଭାବେ କ୍ଲାସ୍ ରେ ଯୋଗ ଦେଇ ଜାନୁଆରୀ ସେସନରେ ଭଲ ସ୍କୋର କରିଥିଲେ ଏବଂ ଏପ୍ରିଲ ସେସନରେ ମଧ୍ୟ AIR-୧ ହାସଲ କରିଛନ୍ତି । ସେ ପ୍ରତିଦିନ ୮-୯ ଘଣ୍ଟା ଧରି ପାଠ ପଢ଼ୁଥିଲେ ।
ସେ କହିଛନ୍ତି ଯେ ତାଙ୍କ ସଫଳତାର ମୁଖ୍ୟମନ୍ତ୍ର ହେଲା, ଅତୀତ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଆପଣଙ୍କ ସାମ୍ନାରେ ଥିବା ବିଷୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା । ଓମପ୍ରକାଶ ନିଜ ସଫଳତାର ଶ୍ରେୟ ବାପା ମା’ ଓ ଶିକ୍ଷକଙ୍କୁ ଦେଇଛନ୍ତି ।
ଓମ ପ୍ରକାଶଙ୍କ ବାପା କମଳକାନ୍ତ ବେହେରା ଓଡ଼ିଶା ପ୍ରଶାସନିକ ସେବାରେ କାର୍ଯ୍ୟରତ ଅଛନ୍ତି । ତେବେ ତାଙ୍କ ମା’ ସ୍ମିତାରାଣୀ ବେହେରା ଅଧ୍ୟାପିକା ଭାବେ କାର୍ଯ୍ୟ ତୁଲାଉଛନ୍ତି । ପୁଅର ପାଠପଢ଼ା ପାଇଁ ସ୍ମିତାରାଣୀ ନିଜ କ୍ୟାରିୟରରୁ ତିନି ବର୍ଷର ବିରତି ନେଇ କୋଟାରେ ଓମ ପ୍ରକାଶଙ୍କ ସହିତ ରହିଥିଲେ ।
Comments are closed.