Latest Odisha News

BREAKING NEWS

ଆଇଏଏସ ନିକୁଞ୍ଜ ଧଳଙ୍କ କେନ୍ଦ୍ରୀୟ ଡେପୁଟେସନ୍‌: ସିଏମଓରେ ବଡ଼ ପ୍ରଶାସନିକ ଅଦଳବଦଳ ଚର୍ଚ୍ଚା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ଭାବେ ନିୟୋଜିତଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ହଠାତ୍ କେନ୍ଦ୍ରୀୟ ଡେପୁଟେସନ୍‌ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶୁକ୍ରବାର ସରକାରୀ ସ୍ତରରେ ସ୍ପଷ୍ଟ ହୋଇଛି ଯେ ଆଇଏଏସ ନିକୁଞ୍ଜ ଧଳ ଓ କାର୍ଯ୍ୟ ସଚିବ ଭି.ଭି. ଯାଦବଙ୍କ କେନ୍ଦ୍ରୀୟ ଡେପୁଟେସନ୍‌ ନିଶ୍ଚିତ ହୋଇଛି। ମାତ୍ର ବିଜେପି ସରକାର ଗଠନର ମାତ୍ର ନଅ ମାସ ମଧ୍ୟରେ ନିକୁଞ୍ଜ ଧଳଙ୍କ ଏହି ବଦଳି ଅନେକ ପ୍ରଶ୍ନ ଉଠାଇଛି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମଓ)ର ତୃତୀୟ ମହଲା, ଯେଉଁଠାରେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କାମ କରନ୍ତି । ସେଠାରେ ନିକୁଞ୍ଜ ଧଳଙ୍କ ଭୂମିକା ନେଇ ପୂର୍ବରୁ କିଛି ଚର୍ଚ୍ଚା ଚାଲିଥିଲା। ସୂଚନା ଅନୁଯାୟୀ, ବିଜେପି ବିଧାୟକ ଦଳର ଏକ ଗୋଷ୍ଠୀ ନିକୁଞ୍ଜ ଧଳଙ୍କ କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଏହି ଅଭିଯୋଗ କେନ୍ଦ୍ରୀୟ ନେତୃତ୍ୱ ପାଖରେ ପହଞ୍ଚିଥିଲା। ଏହାପରେ ନିକୁଞ୍ଜ ଧଳଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଯେଉଁଠାରେ ସେ ଜୁଲାଇ ୧ରୁ ଦାୟିତ୍ୱ ଗ୍ରହଣ କରିବେ।

ଏବେ ନିକୁଞ୍ଜ ଧଳଙ୍କ ବଦଳି ପରେ ସିଏମଓରେ ତାଙ୍କ ସ୍ଥାନ କିଏ ନେବେ, ସେ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ବରିଷ୍ଠ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ସାହୁ ଓ ଅରବିନ୍ଦ ପାଢ଼ୀଙ୍କ ନାମ ଚର୍ଚ୍ଚାରେ ରହିଛି। ତେବେ ଅନେକେ କହୁଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନୋଜ ସାହୁ ଏବେ ସିଏମଓରେ ଏକ ବଡ଼ ଭୂମିକା ଗ୍ରହଣ କରିପାରନ୍ତି। ସୂଚନା ଅନୁଯାୟୀ, ମନୋଜ ସାହୁ ତୃତୀୟ ମହଲାରେ ଏକ ‘ଶକ୍ତିଶାଳୀ ଅଧିକାରୀ’ ଭାବେ ଉଭା ହୋଇପାରନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ଏବେ ଆଇଏଏସ୍ ଅଧିକାରୀଙ୍କ ଅଭାବ ରହିଛି। ବିଧାନସଭାରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଆଇଏଏସ୍ କ୍ୟାଡର ମୋଟ୍ ୨୪୮ଟି ପଦ ରହିଛି । ଏବେ କାର୍ଯ୍ୟରତ ଆଇଏଏସ୍ ଅଧିକାରୀ ୧୮୧ ରହିଛନ୍ତି । ଖାଲି ଥିବା ପଦ ରହିଛି ୬୭ଟି । ସେହିପରି ଆଇପିଏସ୍ ଖାଲି ପଦ ରହିଛି ୬୯ଟି । କେନ୍ଦ୍ରୀୟ ଡେପୁଟେସନ୍‌ରେ ଆଇଏଏସ୍ ଅଧିକାରୀ ୨୨ ଜଣ ରହିଛନ୍ତି । ରାଜ୍ୟ ସରକାର ଅଧୀନରେ ଅନ୍ୟ ରାଜ୍ୟ ଡେପୁଟେସନ୍‌ରେ ୨ ଜଣ ରହିଛନ୍ତି ।

ଅନେକ ଖାଲି ପଦ ରହିଥିବାରୁ ବରିଷ୍ଠ ଅଧିକାରୀ ଏକାଧିକ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି। ଉଦାହରଣ ସ୍ୱରୂପ, ସଞ୍ଜୟ ସିଂହ, ଦେଓ ରଞ୍ଜନ ସିଂହ, ବିଶାଳ ଦେବ ଓ ସତ୍ୟବ୍ରତ ସାହୁ ପ୍ରତ୍ୟେକେ ଦୁଇ ବା ଏହାଠୁ ଅଧିକ ବିଭାଗ ସମ୍ଭାଳୁଛନ୍ତି।

ତେବେ ଖାଲି ଥିବା ପଦକୁ ପୂରଣ କରିବା ପାଇଁ ନିକଟରେ ସରକାର ୩୦ ଜଣ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ରାଙ୍କକୁ ପଦୋନ୍ନତି ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଓଡ଼ିଶା ସରକାର ଡେପୁଟେସନ୍‌ ଶେଷ ହୋଇଥିବା ଅଧିକାରୀଙ୍କୁ କିମ୍ବା ରାଜ୍ୟକୁ ଫେରିବାକୁ ଇଚ୍ଛୁକ ଅଧିକାରୀଙ୍କୁ ଫେରାଇ ଆଣିବା ପାଇଁ ଯୋଜନା କରୁଛନ୍ତି। ଏ ନେଇ ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ।”

ଅନ୍ୟପଟେ ନିକୁଞ୍ଜ ଧଳ ସିଏମଓରୁ ଯିବା ପରେ ସିଏମଓରେ ଏକ ବଡ଼ ଅଦଳବଦଳର ସମ୍ଭାବନା ରହିଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଶାସନକୁ ଅଧିକ ସକ୍ରିୟ ଓ ଦକ୍ଷ କରିବା ପାଇଁ କେଉଁ ପଦକ୍ଷେପ ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.