Latest Odisha News

BREAKING NEWS

ପହଲଗାମରେ ଆକ୍ରମଣ କରିଥିବା ଆତଙ୍କବାଦୀ ଚିହ୍ନଟ, ସ୍କେଚ୍ ସହ ଫଟୋ ଜାରି

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ଦୁଃଖ ଏବଂ କ୍ରୋଧରେ ବୁଡ଼ି ରହିଛି । ଆତଙ୍କବାଦୀମାନେ ଯେପରି ନିରସ୍ତ୍ର ପର୍ଯ୍ୟଟକଙ୍କୁ ନିଜର ଶିକାର କରିଛନ୍ତି, ତାହା ସମଗ୍ର ଦେଶରେ ଏକ ପ୍ରକାର ଆକ୍ରୋଶର ବାତ୍ତାବରଣ ସୃଷ୍ଟି କରିଛି । ଇତିମଧ୍ୟରେ, ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରାଯାଇଛି । ଜମ୍ମୁ କଶ୍ମୀର ପୋଲିସ ୩ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ।

ଏହି ଆତଙ୍କବାଦୀମାନଙ୍କୁ ଆସିଫ୍ ଫୌଜି, ସୁଲେମାନ ଶାହ ଏବଂ ଆବୁ ତଲହା ଭାବରେ ଚିହ୍ନଟ କରାଯାଇଛି । କୁହାଯାଉଛି ଯେ ପର୍ଯ୍ୟଟକଙ୍କ ଉପରେ ବାଛି ବାଛି ଗୁଳି ଚଳାଇବା ପରେ, ଏହି ଆତଙ୍କବାଦୀମାନେ ନିକଟସ୍ଥ ପାହାଡିଆ ଜଙ୍ଗଲରେ ଲୁଚି ରହିଛନ୍ତି ।

ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ସନ୍ଧାନ ଜୋରଦାର କରାଯାଇଛି । ବର୍ତ୍ତମାନ, ସୁରକ୍ଷା ବାହିନୀ ପହଲଗାମର ଜଙ୍ଗଲରେ ସେମାନଙ୍କର ସନ୍ଧାନ ଅଭିଯାନକୁ ତୀବ୍ର କରିଛନ୍ତି । ଆତଙ୍କବାଦୀମାନେ ବୈସରନ ଜଙ୍ଗଲ ଦେଇ ଆସିଥିଲେ । ଆକ୍ରମଣ କରିବା ପରେ ସେମାନେ ଜଙ୍ଗଲ ମଧ୍ୟଦେଇ ନିରାପଦ ସ୍ଥାନ ଆଡକୁ ଦୌଡ଼ି ପଳାଇଥିବା ଆଶଙ୍କା କରାଯାଉଛି । ଏବେ, ସେନା ଏବଂ ସିଆରପିଏଫ୍ ବ୍ୟତୀତ, ଜମ୍ମୁ ଏବଂ କଶ୍ମୀର ପୋଲିସ କର୍ମଚାରୀମାନେ ଆତଙ୍କବାଦୀଙ୍କୁ ଖୋଜିବାରେ ନିୟୋଜିତ ଅଛନ୍ତି ।

ମଙ୍ଗଳବାର ପହଲଗାମରେ ୫ ଜଣ TRF ଆତଙ୍କବାଦୀ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ ଧର୍ମ ଆଧାରରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଚିହ୍ନଟ କରିଥିଲେ । ସେମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି କରାଯାଇଥିଲା ଏବଂ ତା’ପରେ ଗୁଳି କରାଯାଇଥିଲା । ପହଲଗାମର ଯେଉଁ ସ୍ଥାନରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇ ୨୬ ଜଣଙ୍କୁ ହତ୍ୟା କରିଥିବା ବେଳେ, ଆଜି ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କର ମୃତ୍ୟୁ ହେବା ସହ ଏହି ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଏହି ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ତାର ବାୟୁସେନାକୁ ହାଇ ଆଲର୍ଟରେ ରଖିଛି । ପାକିସ୍ତାନୀ ବାୟୁସେନାର ଗୁଇନ୍ଦା ବିମାନ ଭାରତୀୟ ସୀମା ସଂଲଗ୍ନ ଅଞ୍ଚଳର ଆକାଶମାର୍ଗ ଉପରେ ନିରନ୍ତର ନଜର ରଖିଛି । ପାକିସ୍ତାନ ଭୟ କରୁଛି ଯେ, ଭାରତ ବାଲାକୋଟ ଏୟାରଷ୍ଟ୍ରାଇକ ପରି ପ୍ରତିଶୋଧ ନେଇପାରେ । ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟ ସଜାଗ ଅଛନ୍ତି ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ସତର୍କତା ବୃଦ୍ଧି କରାଯାଇଛି ।

Comments are closed.