Latest Odisha News

BREAKING NEWS

ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି: ଆଜିଠାରୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖରାଛୁଟି

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଟପିଛି । ଫଳରେ ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଉ ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏପ୍ରିଲ୍ ୨୪ ଅର୍ଥାତ୍ ଆଜି ଠାରୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ଉଚ୍ଚଶିକ୍ଷା ବିଭାଗ ।

ବିଭାଗର ଉପନିର୍ଦ୍ଦେଶକ ରଜତ କୁମାର ମାନସିଂହ ଏନେଇ ସମସ୍ତ ରେଜିଷ୍ଟ୍ରାର, ପିଜି କାଉନସିଲ୍‌ ଚେୟାରମ୍ୟାନ, ପ୍ରିନ୍ସିପାଲଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି । ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶାନୁସାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଛାତ୍ରୀଛାତ୍ରଙ୍କ ଲାଗି ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ।

ହେଲେ ଶିକ୍ଷକ ଓ ଅଣଶିକ୍ଷକମାନେ ପୂର୍ବପରି ନିୟମିତ ଭାବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଆସିବେ । ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ସାଧାରଣ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ନିୟମିତ ଭାବରେ କାର୍ଯ୍ୟାଳୟରେ ଯୋଗଦେବେ । ଚଳିତବର୍ଷର ସମସ୍ତ ପରୀକ୍ଷା କ୍ୟାଲେଣ୍ଡର ଅନୁସାରେ ଅନୁଷ୍ଠିତ ହେବ । ଯଦି କୌଣସି ଛାତ୍ରଛାତ୍ରୀ ଏହି ସମୟ ମଧ୍ୟରେ ହଷ୍ଟେଲରେ ରହିବାକୁ ଚାହାନ୍ତି, ତେବେ ସେମାନଙ୍କ ପାଇଁ ହଷ୍ଟେଲ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ମଙ୍ଗଳବାର ଅଙ୍ଗନଓ୍ବାଡ଼ି, ଶିଶୁବାଟିକାଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିଥିବାବେଳେ, ଆଜି ଠାରୁ କଲେଜକୁ ଛୁଟି ଘୋଷଣା କରାଗଲା ।

 

Comments are closed.