ଶ୍ରୀନଗର: ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନର ସମ୍ପର୍କ ଆହୁରି ଉତ୍ତେଜନାମୂଳକ ହୋଇଛି। ଆକ୍ରମଣର ଜବାବ ଦେଇ ଭାରତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ପାଇଁ ଘୋଷଣା କରିବା ସତ୍ତ୍ବେ ମଧ୍ୟ ପାକିସ୍ତାନ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଏହି ଚୁକ୍ତି ବାଧ୍ୟତାମୂଳକ ଅଟେ ଓ ଏହାକୁ ଏକପାଖିଆ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି ବିବୃତି ରେ କୁହା ଯାଇଛି।ପାକିସ୍ତାନର ମୋଟ ୨୪୦ ନିୟୁତ ନାଗରିକ ମାନଙ୍କର ଜୀବନ ରେଖା ଏହି ଜଳ ଉପରେ ନିର୍ଭର କରୁଛି।
ତେବେ ଏହାର ପ୍ରତିଜବାବରେ ପାକିସ୍ତାନର ଇସଲାମାବାଦରେ ଜାତୀୟ ସୁରକ୍ଷା ପରିଷଦର ବୈଠକ ହୋଇଥିଲା। ଯେଉଁଥିରେ ପାକିସ୍ତାନ- ଭାରତ ସହ ବାଣିଜ୍ୟ ବେପାର ବନ୍ଦ କରିବା ସହ ୱାଘା ବୋର୍ଡର ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି। ଆହୁରି ମଧ୍ୟ ପାକିସ୍ତାନର ଆକାଶ ମାର୍ଗ ସୀମା ମଧ୍ୟରେ ଭାରତୀୟ ବିମାନ ପ୍ରବେଶକୁ ନେଇ ମଧ୍ୟ କଟକଣା ଲଗାଇ ଦିଆଯାଇଛି।
ତେବେ କାଶ୍ମୀରରେ ପର୍ଯ୍ୟଟକ ମାନଙ୍କ ମୃତ୍ୟୁ ପରେ ୨୩ ଏପ୍ରିଲ ୨୦୨୫ରେ ଭାରତ ନେଇଥିବା ପଦକ୍ଷେପଗୁଡ଼ିକୁ ଏକପାଖିଆ, ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଆଇନଗତ ଦୃଷ୍ଟିରୁ ଅନ୍ୟାୟ ବୋଲି ମଧ୍ୟ କୁହାଯାଇଛି।
ତେବେ ବିବୃତିରେ ଆହୁରି ମଧ୍ୟ କୁହାଯାଇଛି ଯେ ପାକିସ୍ତାନ ଭାରତ ସହିତ ନିଜର ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ସ୍ଥଗିତ ରଖିବ। ଯେଉଁଥିରେ ସିମଲାର ଚୁକ୍ତିନାମା ମଧ୍ୟ ଅନ୍ତର୍ଭୁକ୍ତ ରହିଛି।ଭାରତ ଆଭ୍ୟନ୍ତରିଣ ଭାବରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ପାଲଟା ଅଭିଯୋଗ କରିଛି। ତେବେ ଭାରତ ଗଣହତ୍ୟା, ଅନ୍ତର୍ଜାତୀୟ ଆଇନ ଏବଂ କାଶ୍ମୀର ଉପରେ ଜାତିସଂଘ ପ୍ରସ୍ତାବ ପାଳନ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି।
Comments are closed.