ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପଦାରେ ପଡିଛି ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିରଙ୍କ ଅସଲ ଚେହେରା । କାଶ୍ମୀର ଓ ହିନ୍ଦୁଙ୍କୁ ନେଇ ମୁନିରଙ୍କ ବିଷାକ୍ତ ବୟାନର କିଛି ଦିନ ପରେ ହିଁ ପହଲଗାମରେ ନରସଂହାର କରିଛନ୍ତି ଆତଙ୍କୀ। ଧର୍ମ ପଚାରି ଯେଉଁଭଳି ଆକ୍ରମଣ ହୋଇଛି, ସେଥିରୁ ଏହା ପଛରେ ପାକିସ୍ତାନ ସେନା ନେତୃତ୍ବଙ୍କ ହାତ ଥିବା ସଫା ଜଣାପଡୁଛି । ହମଲାର ପାଟର୍ଣ୍ଣ ମୁନିରଙ୍କ ପୂର୍ବ ବୟାନ ସହ ମେଳ ଖାଉଛି । ଜେନେରାଲ ମୁନିରଙ୍କ କଟ୍ଟରପନ୍ଥୀ ମାନସିକତା ପାକିସ୍ତାନକୁ ବରବାଦି ଆଡକୁ ଟାଣି ନେଉଛି । କେବଳ ଭାରତ କି ଦକ୍ଷିଣ ଏସିଆ ନୁହେଁ, ସାରା ଦୁନିଆ ପାଇଁ ଏବେ ବିପଦ ପାଲଟିଛନ୍ତି ଅସିମ ମୁନିର ।
ଭାରତ ବିରୋଧୀ ବୟାନ
କିଛି ଦିନ ତଳେ ଇସଲାମାବାଦରେ ପ୍ରବାସୀ ପାକିସ୍ତାନୀ ସମ୍ମିଳନୀରେ ଦେଶର ସେନା ମୁଖ୍ୟ ଅସିମ ମୁନିର ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ । କାଶ୍ମୀର ପାକିସ୍ତାନର ଗଳାର ଶିରା ରହିଛି ଓ ରହିବ । ଏହାକୁ ପାକିସ୍ତାନ କେବେ ଭୁଲିବନି ବୋଲି କହିଥିଲେ ମୁନିର । ଏହାସହ ଦୁଇ ରାଷ୍ଟ୍ର ଥିଓରୀକୁ ଠିକ୍ ଦର୍ଶାଇ ହିନ୍ଦୁଙ୍କ ବିରୋଧରେ ବିଷ ଓଗାରିଥିଲେ । ତାଙ୍କର ଏହି ବୟାନ ହିଁ ଲସ୍କର-ଇ-ତୋଏବା ପରି ଆତଙ୍କବାଦୀ ସଂଗଠନକୁ ପହଲଗାମ ନରସଂହାର ଭଳି ଘଟଣା ଘଟାଇବାକୁ ଉସୁକାଇଥିବା କୁହାଯାଉଛି । ମୁନିରଙ୍କ ନୀତି ଓ କାର୍ଯ୍ୟ ଆଞ୍ଚଳିକ ଅସ୍ଥିରତାକୁ ଇନ୍ଧନ ଯୋଗାଉଛି । ତାଙ୍କ ଉତ୍ତେଜକ ଭାଷଣ, ପ୍ରକ୍ସି ଯୁଦ୍ଧକୁ ସମର୍ଥନ ପାକିସ୍ତାନକୁ ଅନ୍ତର୍ଜାତୀୟସ୍ତରରେ ବିଚ୍ଛିନ୍ନ କରିଥିବା ବୈଦେଶିକ ବ୍ୟାପର ବିଶେଷଜ୍ଞ କହିଛନ୍ତି ।
ଅନ୍ୟ ଦେଶ ପାଇଁ ବି ବିପଦ
କେବଳ ଭାରତ ନୁହେଁ ବିଶ୍ବର ଅନ୍ୟ ଦେଶ ପାଇଁ ବି ପାକ୍ ସେନା ମୁଖ୍ୟ ମୁନିର ବିପଦ ପାଲଟିଛନ୍ତି । ବ୍ରିଟେନ ଭଳି ଦେଶରେ ପାକିସ୍ତାନୀ ଗ୍ରୁମିଂ ଗ୍ୟାଙ୍ଗ ଅପରାଧ କରିବା ସହ ଏହାକୁ ଠିକ୍ ଦର୍ଶାଇବାକୁ ମୁନିରଙ୍କ ଇସଲାମିକ ଭାଷଣ ଦ୍ବାରା ପ୍ରଭାବିତ ହେଉଛନ୍ତି । କାନାଡାର ଖଲିସ୍ତାନୀ ଚରମପନ୍ଥୀ ମଧ୍ୟ ମୁନିରଙ୍କଠାରୁ ପ୍ରେରଣା ନେଉଛନ୍ତି । ମୁନିରଙ୍କ ନେତୃତ୍ବରେ ଆଫଗାନିସ୍ତାନର ତାଲିବାନ ସହ ମଧ୍ୟ ପାକିସ୍ତାନୀ ସେନାର ସଂପର୍କ ଖରାପ ହୋଇଛି । ପାକ୍ ସେନା ଉପରେ ଭରସା କରିପାରୁନି ତାଲିବାନ । ୧୭ଲକ୍ଷ ଆଫଗାନ ଶରଣାର୍ଥୀଙ୍କୁ ଦେଶରୁ ବିଦା କରିବା ନିଷ୍ପତ୍ତି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଅଶାନ୍ତି ବଢାଇଛି ।
ଦେଶ ଭିତରେ ବି ବିରୋଧ
ବଲୁଚ ବିଦ୍ରୋହୀଙ୍କ ଉପରେ ଦମନ ନୀତିକୁ ନେଇ ବି ସମାଲୋଚିତ ହୋଇଛି ପାକିସ୍ତାନ ସେନା । ବଲୁଚିସ୍ତାନ ବିଦ୍ରୋହୀଙ୍କୁ ହତ୍ୟା ତଥା ସାଧାରଣ ଲୋକଙ୍କୁ ଅପହରଣ ପରି ମାନବାଧିକାର ଉଲ୍ଲଂଘନ କରୁଛି ସେନା। ସାରା ବିଶ୍ବରେ ଏଥିପାଇଁ ପାକିସ୍ତାନକୁ ଲଜ୍ଜିତ ହେବାକୁ ପଡିଛି । ମୁନିରଙ୍କ ନେତୃତ୍ବାଧୀନ ପାକିସ୍ତାନର ସେନା ସମର୍ଥିତ ଶାସନତନ୍ତ୍ର ଦେଶର ନିର୍ବାଚନରେ ସିଧାସଳଖ ହସ୍ତକ୍ଷେପ କରିଥିଲା । ନିର୍ବାଚନରେ ବିଳମ୍ବ କରିବା ସହ ଜନମତରେ ଆଗରେ ରହିଥିବା ଇମ୍ରାନ ଖାନଙ୍କ ଉପରେ ରାଜନୈତିକ ପ୍ରତିବନ୍ଧକ ଲଗାଇଥିଲା । ଦେଶରେ ଗଣତନ୍ତ୍ରର ପତନ ନେଇ ଚେତାବନୀ ଦେଇଥିଲେ ଆମେରିକା ଓ ୟୁରୋପୀୟ ସଂଘ ।
ପୁରୁଣା ବନ୍ଧୁ ଚୀନ୍ ବି ପାକିସ୍ତାନ ଉପରେ ଖପ୍ପା । କିଛି ଦିନ ତଳେ ପାକିସ୍ତାନରେ ଚାଲିଥିବା ଚୀନ୍ ପ୍ରକଳ୍ପରେ କାମ କରୁଥିବା ଚୀନ୍ ଇଞ୍ଜିନିୟରଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହାକୁ ନେଇ ଚୀନ୍ ପାକିସ୍ତାନୀ ସେନା ନେତୃତ୍ବ ଉପରେ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି । ଖାଲି ସେତିକି ନୁହେଁ ପୂର୍ବରୁ ପାକିସ୍ତାନର ଅର୍ଥନୈତିକ ସହଯୋଗୀ ରହିଥିବା ସାଉଦି ଆରବ ଓ ୟୁଏଇ ମଧ୍ୟ ଦେଶକୁ ମୁହଁ ମୋଡି ଭାରତ ସହ ହାତ ମିଳାଇଛନ୍ତି । ଦେଶର ମୁଦ୍ରାସ୍ଫୀତି ଓ ବେକାରୀ ଭଳି ସମସ୍ୟାକୁ ନଜର ଅନ୍ଦାଜ କରି କାଶ୍ମୀରକୁ ପ୍ରାଥମିକତା ଦେଇ ଆସୁଛନ୍ତି ପାକିସ୍ତାନ ସେନା ମୁଖ୍ୟ । ମୁନିରଙ୍କୁ ଜଣେ ଯୁଦ୍ଧବାଦୀ ଭାବେ ଦର୍ଶାଇବା ସହ ସେ ପାକିସ୍ତାନକୁ ଅର୍ଥନୈତିକ ବିନାଶ ଆଡକୁ ନେଉଥିବା ଦେଶର ବିରୋଧୀ ଦଳ ସମାଲୋଚନା କରୁଛନ୍ତି । ରିୟଲ ଇଷ୍ଟେଟ୍ ପରି ପ୍ରମୁଖ କ୍ଷେତ୍ରରେ ସେନାର ନିୟନ୍ତ୍ରଣ, ଘରୋଇ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବାଧା ସୃଷ୍ଟି କରିଛି । ଦେଶର ଅର୍ଥନୀତି ଭୁଶୁଡି ପଡିଥିବା ବେଳେ ମୁନିରଙ୍କ ନୀତି ପାକିସ୍ତାନ ପାଇଁ ବଡ଼ ବିପଦ ଆଣିବ ବୋଲି ବୈଦେଶିକ ବ୍ୟାପାର ବିଶେଷଜ୍ଞ କହିଛନ୍ତି ।
Comments are closed.